ଅସୁରକ୍ଷିତ ଅବସ୍ଥାରେ ଗୁଣ୍ଡିଚାଘାଗି ଜଳ ପ୍ରପାତ, ଯେଉଁଥିପାଇଁ ଏବେ ବିପଦରେ ପର୍ଯ୍ୟଟକ

କେନ୍ଦୁଝର: ବିସ୍ତୀର୍ଣ୍ଣ ଜଳରାଶି ଏବଂ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଗୁଣ୍ଡିଚାଘାଗି ଜଳପ୍ରପାତ ଘଟଗାଁ ଠାରୁ ମାତ୍ର ୧୨ କିମି ଦୂରରେ ଅବସ୍ଥିତ । ମା’ତାରିଣୀଙ୍କ ମନ୍ଦିର ଆସୁଥିବା ଭକ୍ତଙ୍କ ସମେତ ଅନେକ ପର୍ଯ୍ୟଟକ ପ୍ରତେକ ଦିନ ଏହି ଜଳପ୍ରପାତରେ ବଣଭୋଜିର ମଜା ନେବା ସହ ପ୍ରାକୃତିକ ପରିବେଶକୁ ଉପଭୋଗ କରିଥାନ୍ତି । ପ୍ରପାତରେ ବହୁ ବିପଦପୂର୍ଣ୍ଣ ସ୍ଥାନ ଖୋଲା ମେଲାରେ ପଡିଥିବା ବେଳେ ପାଖରେ କୌଣସି ସତର୍କ ସୂଚନା ମଧ୍ୟ ନାହିଁ । ରିଲସ୍ ନିଶା ହେଉ ଅବା ସାମାନ୍ୟ ଅସାବଧାନତା ଯୋଗୁ ଘଟୁଛି ଅନେକ ଛୋଟ ବଡ଼ ଦୁର୍ଘଟଣା ।

ପର୍ଯ୍ୟଟକଙ୍କ ଦାୟିତ୍ୱହୀନତା ହେଉ କିମ୍ବା ପ୍ରଶାସନର ଅବହେଳା ପାଇଁ ଘଟୁଥିବା ଦୁର୍ଘଟଣା ଏବେ ମୁଣ୍ଡବିନ୍ଧାର ମୁଖ୍ୟ କାରଣ ପାଲଟିଛି । ବଡ ବଡ଼ ପଥର ଖୋଲ ଏବଂ ଜଳର ଗଭୀରତା ବିଷୟରେ ଅନଭିଜ୍ଞ ଅମାନିଆ ପର୍ଯ୍ୟଟକ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ପ୍ରାଣ ହରାଉଛନ୍ତି । ବାଲେଶ୍ଵର ଜିଲ୍ଲା ବର୍ତନା ଗାଁର ଦେବେଶ କୁମାର ବେହେରା ଅସାବଧାନତା ଯୋଗୁ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ସେହିଭଳି କିଛି ଦିନ ପୂର୍ବରୁ ହରିଚନ୍ଦନପୁର ବ୍ଲକ ବଡସିଆଡିମାଳ ଗାଁର ସତ୍ୟପ୍ରକାଶ ମହାନ୍ତ ଗାଧୋଇବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଥିଲେ ।

ଆଉ ଗୋଟିଏ ଦିନ ପରେ ତାଙ୍କର ମୃତଦେହ ମିଳିଥିଲା । ଦୁଃଖର ବିଷୟ ଏହି ଦୁଇଟି ଯାକ ଘଟଣା ଗୋଟିଏ ମାସରେ ହିଁ ଘଟିଛି । କିଛି ବର୍ଷ ମଧ୍ୟରେ ୧୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଏହି ଜଳପ୍ରପାତରେ ବୁଡି ମୃତ୍ୟୁ ବରଣ କଲେଣି । ଫଳରେ ଗୁଣ୍ଡିଚାଘାଗିରେ ଏବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଯଦି ବେଳ ଥାଉ ଥାଉ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଅକାଳରେ ଅନେକ ଜୀବନ ଚାଲିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ଜିଲ୍ଲା ପ୍ରଶାସନର ଅବହେଳା ଓ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ଅଭାବ ତଥା ଢିଲା ସୁରକ୍ଷା ପାଇଁ ଆଜି ଅସୁରକ୍ଷିତ ହୋଇପଡିଛି କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଣ୍ଡିଚାଘାଗି ଜଳ ପ୍ରପାତ । ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଏହି ପ୍ରାପତଟି ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାକୁ ସକ୍ଷମ । ହେଲେ ଗୋଟିଏ ମାସରେ ଦୁଇ ଦୁଇଟି ପର୍ଯ୍ୟଟକଙ୍କ ଜୀବନ ଚାଲିଯିବା ଘଟଣା ପରେ ଏବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।

Also read: ଦର୍ଶକଙ୍କୁ ଆକର୍ଷିତ କରୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ପାଲଟିଛି ଚାନ୍ଦି ମେଢ