ସରୁନି ଭୂସ୍ଖଳନର ଭୟାବହତା, ଆଜି ଚୌଦ୍ବାର ଆସିବ ବିଷ୍ଣୁପ୍ରସାଦଙ୍କ ମୃତଦେହ, ମିଳୁନି ଡାକ୍ତର ସ୍ବାଧୀନଙ୍କ ପତ୍ତା

କେରଳର ୱାୟନାଡରେ ମଙ୍ଗଳବାର ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ୪ ଦିନ ବିତିଗଲାଣି । ମାଟି କାଦୁଅ ଭିତରେ ରକ୍ତକୁ ଖୋଜୁଛି ରକ୍ତ । କିଏ ପରିବାର ଲୋକଙ୍କୁ ଖୋଜୁଛି, ତ ଆଉ କିଏ ସମ୍ପର୍କୀୟଙ୍କୁ । ଆକାଶ ମାର୍ଗରୁ କଏଦ ହୋଇଥିବା ଚିତ୍ର ହିଁ ବୟାନ କରୁଛି, କିଭଳି କେରଳର ୱାୟନାଡରେ କ୍ଷୟକ୍ଷତି ହୋଇଛି । ନିଖୋଜଙ୍କ ସଂଖ୍ୟା ଥମୁନି କି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌ । ବହୁ ଲୋକଙ୍କ ପରିଚୟ ମିଳିପାରୁନି । ଏମାନଙ୍କ ମଧ୍ୟରୁ ଅନେକ ବାହାର ରାଜ୍ୟର ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ଏଥିରେ ୩୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପ୍ରାୟ ୨୫୦ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର ଅଭିଯାନକୁ ଜୋରଦାର କରାଯାଇଛି। ଏହାରି ଭିତରେ ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଡ଼ାକ୍ତର ବିଷ୍ଣୁପ୍ରସାଦ ଚିନ୍ନରାଙ୍କ ମୃତଦେହ ଆଜି ତାଙ୍କ ପୈତୃକ ଗ୍ରାମ ଚୌଦ୍ଵାରକୁ ନିଆଯାଉଛି। କିନ୍ତୁ ମୃତଦେହ ପଚି ଯାଇଥିବାରୁ ବିମାନ ଯୋଗେ ଓଡ଼ିଶା ଆଣିବା ସମ୍ଭବ ନୁହେଁ। ସ୍ବତନ୍ତ୍ର ଆମ୍ବୁଲାନସରେ ତାଙ୍କ ଗାଁ ଚୌଦ୍ବାରକୁ ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଆ ସରକାର ନିର୍ଦ୍ଦେଶକ IAS ଦିଲୀପ ରାଉତ ରାୟ।

ଅନ୍ୟପଟେ ଡ. ମୋପେନ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ପ୍ରିୟଦର୍ଶିନୀ ପାଲ ଚିନ୍ନରା ଓ ଡାକ୍ତର ସ୍ଵୀକୃତି ମହାପାତ୍ର । ସ୍ବୀକୃତିଙ୍କ ଫୁସଫୁସରୁ ମାଟି ଓ କାଦୁଅ କଢାଯାଇଛି। ଉଭୟ ସୁସ୍ଥ ଅଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ନିଜ ନିଜ ଗାଁକୁ ପଠାଯିବ। ସେପଟେ ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ କୌଣସି ଖୋଜଖବର ମିଳୁନି। ଓଡ଼ିଶାରୁ କେରଳ ଯାଇଥିବା ସ୍ବତନ୍ତ୍ର ଦଳ ବି ଖୋଜି ଖୋଜି ନୟାନ୍ତ ହେଲାଣି।

ଏସବୁ ଭିତରେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ସାହସିକତାର ପରିଚୟ ଦେଇ ଅନେକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ରେସ୍କ୍ୟୁ ଟିମ୍‌ । ତେବେ ଯେଉଁଭଳି ସ୍ଥିତି ରହିଛି, ଉଦ୍ଧାରକାର୍ଯ୍ୟ ସରିବାକୁ ଆହୁରି କିଛି ଦିନ ଲାଗିପାରେ ।

 

ୱାୟନାଡରୁ ପି ହେମନ୍ତଙ୍କ ରିପୋର୍ଟ

You might also like