ମା’ ସମଲେଶ୍ୱରୀଙ୍କ ପୀଠରେ ସମ୍ପନ୍ନ ହେଲା ଖଣ୍ଡାଧୁଆ ଯାତ୍ରା

ସମ୍ବଲପୁର(କେନ୍ଯୁଜ୍): ମା’ ସମଲେଶ୍ୱରୀଙ୍କ ପୀଠରେ ସମ୍ପନ୍ନ ହୋଇଛି ଖଣ୍ଡାଧୁଆ ଯାତ୍ରା। ଏହି ଅବସରରେ ସମଲେଶ୍ୱରୀ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଆସନ୍ତା ନୂତନ ବର୍ଷରେ ମା’ଙ୍କ ପାଇଁ ପରଭା ଏବଂ ଛତ୍ର ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ୮୦ କେଜି ରୂପା ଆବଶ୍ୟକ ପଡିବ। ଭକ୍ତମାନେ ରୂପା ଦାନ କରିପାରିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି। କଟକରେ ଏହି ପରଭା ତିଆରି କରାଯିବ । ଖଣ୍ଡୁଆ ଯାତ୍ରାରେ ପୂଜକ ମାନେ ଅସ୍ତ୍ର ଶସ୍ତ୍ର ଧରି ମହାନଦୀର ମଛିନ୍ଦ୍ର ଘାଟକୁ ଯାଇ ସମସ୍ତ ଅସ୍ତ୍ର ଶସ୍ତ୍ରକୁ ଧୋଇଥାଆନ୍ତି। ଦଶମିରେ କଳସ ବିସର୍ଜନ ସମୟରେ ଏହି ଅସ୍ତ୍ରଶସ୍ତ୍ର ବାହାର କରି ଆଖଡ଼ା ଖେଳିଥାନ୍ତି।

ଅନ୍ଯପଟେ ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କର ଚାଲିଛି ଅଷ୍ଟମୀ ପୂଜା। ବିଲ୍ଵବରଣ ପରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। ଏପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପୁଛି ପରିବେଶ। ହେଲେ କରୋନା କଟକଣା ପାଇଁ ଭକ୍ତମାନେ ମଣ୍ଡପକୁ ଯାଇ ଦର୍ଶନ କରିପାରୁନାହାଁନ୍ତି। ଆଜି ମହାଷ୍ଟମୀରେ ଭକ୍ତମାନେ ଉପବାସ ରଖି ମାଆଙ୍କ ଆରାଧନା କରୁଛନ୍ତି। ବାହାରୁ ରହି ମାଆଙ୍କ ଆଶିଷ ଲାଭ କରୁଛନ୍ତି।

ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା । ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତ ଦୁଇ ଦିନ ହେବ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

୨୦ ଚେକ୍‌ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ପ୍ରସ୍ତୁତ କରାଯାଇଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ପୂଜା ଆରମ୍ଭ ପୂର୍ବରୁ ୪୧ଜଣ ଗିରଫ ହୋଇଥିଲେ। ଆଉ ୨୦୩ ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି।ନାଇଟ୍‌ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣାରେ ଚଳିତବର୍ଷ ଦୁର୍ଗାପୂଜା ପାଳନ କରାଯାଉଛି।

ତେବେ ଗତ ଥର ପରି ଏଥରର ବି କରୋନା କଟକଣା ଯୋଗୁଁ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିନି। ଏହାବାଦ ପୂଜା ସମୟରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କା କରି ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରରେ ଗତକାଲିଠୁ କଡ଼ାକଡ଼ି ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.