ଖାନନଗରରେ ଆଜି ଦୁଇ ଦୁଇଟି ଦୁର୍ଘଟଣା, କଣ ଚାଲିଛି ଚର୍ଚ୍ଚା ଓ ଦୁର୍ଘଟଣା ପଛର କାରଣ, ଆପଣ ବି ବିଶ୍ବାସ କରନ୍ତି କି ?

କଟକ (କେନ୍ୟୁଜ) : ଆଜି ସକାଳୁ ସକାଳୁ କଟକ ଖାନଗର ଗୋଲେଇ ଛକ ଠାରେ ଘଟିଲା ଦୁର୍ଘଟଣା । ଏକ ଘରୋଇ କଲେଜ ବସକୁ ଅନ୍ୟ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା । ଯାହା ଫଳରେ ବସରେ ବସିଥିବା ଅନେକ କଲେଜ ଛାତ୍ରୀ ଆହତ ହୋଇଥିଲେ । ଆହତଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲକୁ ୧୦୮ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ତେବେ ସୌଭାଗ୍ୟର କଥା ହେଉଛି କି କେହି ଗୁରୁତର ଆହତ ହୋଇନଥିଲେ । ଅଳ୍ପକେ ଟଳି ଯାଇଥିଲା ଏକ ବଡ଼ ଦୁର୍ଘଟଣା ।

ତେବେ ସନ୍ଧ୍ୟାରେ ଘଟିଲା ବଡ଼ ଦୁର୍ଘଟଣା । ନେତାଜୀ ବସ ଟର୍ମିନାଲ ଭିତରେ ମୋ ବସ୍ ନେଇଗଲା ଜଣକ ଜୀବନ। ମୋ ବସ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ବସ୍ ଧକ୍କାରେ ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ସ୍ୱାମୀ ଲକ୍ଷ୍ମଣ ଗୋଛାୟତଙ୍କ କହିବା ଅନୁଯାୟୀ, ସେ ଆଉ ତାଙ୍କ ପତ୍ନୀ ସରସ୍ବତୀ ଗୋପାଳପୁର ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଯିବାର ଥିଲା । ସେଥିପାଇଁ ସନ୍ଧ୍ୟା ସମୟରେ ମୋ ବସ ଜରିଆରେ ସିଡିଏରୁ ବସ ଟର୍ମିନାଲକୁ ଆସିଥିଲେ । ଯେଉଁ ସମୟରେ ଉଭୟ ବସରୁ ଓହ୍ଲାଉ ଥିଲେ ଠିକ୍ ସେହି ସମୟରେ ବସଟି ହଠାତ୍ ଚାଲିବାକୁ ଲାଗିଥିଲା ଏବଂ ସରସ୍ବତୀ ବସରୁ ଖସି ପଡ଼ିଥିଲେ । ନିକଟରେ ଥିବା ସମସ୍ତ ଯାତ୍ରୀ ବସକୁ ଅଟକାଇବା ପାଇଁ ଜୋରରେ ପାଟି କରିଥିଲେ । ହେଲେ ଡ୍ରାଇଭର ଜାଣି ପରିଲେ ନାହିଁ ଆଉ ସମସ୍ତେ ଦେଖୁଦେଖୁ ବସଟି ସରସ୍ୱତୀଙ୍କ ଉପରେ ମାଡ଼ି ଯାଇଥିଲା । ଯାହାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲକ୍ଷ୍ମଣ ଦୋଷ ଦେଇଥିଲେ ଡ୍ରାଇଭରଙ୍କୁ ।

ଏଭଳି ଦୁଇଟି ଅଭାବନୀୟ ଘଟଣା ଘଟି ଯାଇଛି ଆଜି ଗୋଟିଏ ଦିନରେ । ତେଣୁ ଏହି ଅଞ୍ଚଳରେ ଏକ ଚର୍ଚ୍ଚା ଚାଲିଛି । ବସ୍ ଟର୍ମିନାଲଟି ଖାନନଗର ଶ୍ମଶାନ ପାଖରେ ଥିବାରୁ ଏଭଳି ଅଘଟଣ ଘଟିଲା କି ? ଏହା ପଛରେ ସେଭଳି କିଛି ଅଦୃଶ୍ୟ କାରଣ ରହିଛି କି ? ଏମିତି ଅନେକ ଆଲୋଚନା ଚାଲିଛି ଲୋକଙ୍କ ଭିତରେ । ତେବେ ଅନେକ ଦିନ ହେବ ନେତାଜୀ ବସ ଟର୍ମିନାଲ ଚାଲୁ ହେଲାଣି । ଏଭଳି ଅଭାବନୀୟ ଘଟଣା ପ୍ରଥମଥର ଘଟିଛି । ତେଣୁ ଗୁଜବ ଓ ଅନ୍ଧବିଶ୍ବାସରେ ବିଶ୍ବାସ ନକରିବାକୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ କହିଛନ୍ତି । ଦୁର୍ଘଟଣା ଘଟିଥାଏ ଅସାବଧାନତାରୁ । ଏହାକୁ ଅନ୍ଧବିଶ୍ବାସ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି ।