ହାଣ୍ଡିଶାଳରେ ମହଙ୍ଗା ମାଡ଼: ପନିପରିବା ଓ ତେଜରାତି ସାମଗ୍ରୀର ଅହେତୁକ ଦର ବୃଦ୍ଧି ହେତୁ ଖାଉଟି ମୁଣ୍ଡରେ ଚଡ଼କ

ଭୁବନେଶ୍ୱର (କେନ୍ୟୁଜ): ହାଣ୍ଡିଶାଳରେ ମହଙ୍ଗା ମାଡ଼ । ପନିପରିବା ଓ ତେଜରାତି ସାମଗ୍ରୀର ଅହେତୁକ ଦର ବୃଦ୍ଧି । ଖାଉଟି ମୁଣ୍ଡରେ ଚଡ଼କ । ଡାଲି, ତେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ରୋକ ଲାଗୁନି । ମୁଖ୍ୟତଃ ଡିଜେଲ ଦରରେ ଲଗାମ ଲାଗୁନଥିବାରୁ ଦରଦାମ ବୃଦ୍ଧି ହେଉଛି । ଏହାର ପ୍ରଭାବ ସିଧାସଳଖ ମଧ୍ୟବିତ୍ତ ଓ ନିମ୍ନ ବର୍ଗ ପରିବାର ଉପରେ ପଡୁଛି ।

ଏବେ ବଜାରରେ ହରଡ଼ ଡାଲି କିଲୋ ୯୦ ଟଙ୍କାରୁ ୧୧୦ ଟଙ୍କା ଭିତରେ ରହିଛି । ମାସକ ତଳେ ହରଡ଼ ଡାଲି କିଲୋ ଥିଲା ୮୯ ଟଙ୍କାରୁ ୯୮ ଟଙ୍କା । ସେହିପରି ବୁଟ ଡାଲି କିଲୋ ମାସକ ତଳେ ୫୬ ଟଙ୍କାରୁ ୬୦ ଟଙ୍କା ଭିତରେ ଥିବା ବେଳେ ଏବେ ତାହା ୬୨ ଟଙ୍କା ରହିଛି । ବିରି ଡାଲି କେଜି ପିଛା ଦର ୮୪ ଟଙ୍କାରୁ ବଢ଼ି ୮୮ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ବଜାରରେ ସୋରିଷ ତେଲ ଲିଟର ପିଛା ଦର ରହିଛି ୧୬୫ରୁ ୧୮୫ ଟଙ୍କା। ରିଫାଇନ ତେଲ ଲିଟର ପିଛା ଦାମ ୧୪୦ରୁ ୧୫୫ ଟଙ୍କା ରହିଛି। ସେହିଭଳି ଚିନି କିଲୋ ୪୫ ଟଙ୍କା । ମାସକ ଭିତରେ ଚିନି କିଲୋ ପିଛା ଦାମ ୨ରୁ ୫ ଟଙ୍କା ବଢ଼ିଛି । ଦର ବୃଦ୍ଧି ଯୋଗୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି ।

ସେପଟେ ତୈଳ ଦରବୃଦ୍ଧି ଯୋଗୁ ସବୁ ସାମଗ୍ରୀର ଦରଦାମ ବଢୁଥିବା କହିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ର ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଡିଜେଲ ଲିଟର ୨ ଟଙ୍କା ବୃଦ୍ଧି ହେଲେ ସାଧାରଣ ପରିବାର ଉପରେ ସିଧାସଳଖ ୨ଶହରୁ ୩ଶହ ଟଙ୍କା ଅଧିକ ବୋଝ ପଡିଥାଏ । ଏଥିସହ ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ଅଧିକ ଯୋଜନା କରାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି । କେବଳ ତେଜରାତି ସାମଗ୍ରୀ ନୁହେଁ ପନିପରିବା ଦର ବି ଆକାଶଛୁଆଁ । ଏପରିକି ଲେମ୍ବୁ ଗୋଟାକ ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହାର ସିଧାସଳଖ ପ୍ରଭାବ ନିମ୍ନ ଓ ମଧ୍ୟବିତ୍ତ ପରିବାର ଉପରେ ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.