ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି ବେଧଡକ ଧଳା ଜହର କାରବାର ? ଏଠି ପୋଲିସ ଓ ଅବକାରୀ ବିଭାଗ କଣ ପାଇଁ ପୂରା ଫେଲ? ପଶ୍ଚିମବଙ୍ଗରୁ ଭାୟା ଜଳେଶ୍ବର ଦେଇ ସିଧାସଳଖ ଖୋର୍ଦ୍ଧାରେ ପଶୁଛି ଏହି ମାରାତ୍ମକ ବିଷ। ଏଠାରୁ ହିଁ ଯାଉଛି ରାଜ୍ୟର ବିଭିନ୍ନ ସ୍ଥାନକୁ । ବର୍ଷ ବର୍ଷ ଧରି ଚାଲିଛି କାରବାର । ଯଦି ଆରମ୍ଭରୁ ରୋକ ଲାଗିଥାନ୍ତା, ହୁଏତ ଆଜି ଏହା ନିର୍ମୂଳୀ ଲତା ପରି ମାଡି ମାଡି ପୂରା ସହରକୁ ନିଜ କବ୍ଜାକୁ ନେଇପାରି ନଥାନ୍ତା। ଧଳା ଜହରର କିଙ୍ଗପିନ ମାନଙ୍କୁ ଛାଡି ଦିଆଯାଉଛି । ଧରା ପଡୁଛନ୍ତି ଛୋଟ ଛୋଟ ବେପାରୀ । ଏହା ଦ୍ବାରା କାରବାର ବଢୁଛି ସିନା କମିବାର ନାଁ ନେଉନି । ଖୋର୍ଦ୍ଧାର ସାମନ୍ତରାପୁରୁ, ଗୁରୁଜଙ୍ଗ, ଡ଼ମ ସାହି, ଭଲିଆବାଡ଼ି, ଠେଙ୍ଗାହାଟ, ଜେମାଦେଇ ଭଳି ଅନେକ ସ୍ଥାନରେ ଚାଲୁଛି ଏହି ଅନ୍ଧାରୀ କାରବାର। ଖୋର୍ଦ୍ଧା ପୋଲିସ ହାତରେ ଗ୍ରାମ ଗ୍ରାମ ବ୍ରାଉନସୁଗର ଜବତ ହେଉଛି। ମାତ୍ର ସେହି ସହରରେ ଏସଟିଏଫ ଜବତ କରୁଛି କେଜି କେଜି ଧଳା ଜହର । ଖୋର୍ଦ୍ଧା ପୋଲିସ କଣ ପାଇଁ ବଡ ବଡ ନେଟୱର୍କକୁ ଠାବ କରିପାରୁନି ? ଧଳା ଜହର ପାଇଁ ବଢି ଚାଲିଛି ହତ୍ୟା, ଲୁଟ ଓ ଡକାୟତି ଭଳି ଘଟଣା। ପ୍ରଥମେ ଯୁବକ ପରେ ମହିଳା ଆଉ ଏବେ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କୁ କରାଯାଉଛି ଟାର୍ଗେଟ । କଲେଜ ପିଲାଙ୍କୁ ନିଶା ଦେଇ ଫସାଇ ଦିଆଯାଉଛି ଏହି ନେଟୱର୍କରେ।
ଖୋର୍ଦ୍ଧା ସହରରେ କେମିତି ପଶୁଛି ଧଳା ଜହର ? କିଏ ଆଣୁଛି କିଏ ନଉଛି ? କେଉଁଠି ଅଛି ପୂରା ନେଟୱର୍କ କୁ ଚଳାଉଥିବା କିଙ୍ଗପିନ୍ ? କିଏ ଏହି ଧଳା ଜହରର ପ୍ରକୃତ ସର୍ଦ୍ଦାର? ପୋଲିସ କିଛି ପରିମାଣରେ ଅପରାଧୀଙ୍କୁ ଧରିବାରେ ସଫଳ ହେଉଥିଲେ ବି କମୁନି କାରବାର। ଏବେ ଧଳା ଜହରର ନୂଆ ଠିକଣା ପାଲଟିଛି ଖୋର୍ଦ୍ଧା ଜେଲ । କାରାଗାରରୁ ଅପରେଟିଂ ହଉଛି ବ୍ୟବସାୟର ନୀଳ ନକ୍ସା । ଖୋର୍ଦ୍ଧା ଜେଲ ଭିତରେ ୨୪ ଘଣ୍ଟିଆ ସତର୍କ ନଜର ସତ୍ତ୍ବେ ବୁଲୁଛି ମାଳ ମାଳ ମୋବାଇଲ । ଫେବୁଆରୀରେ ଏକ ମୋବାଇଲ ଜବତ ପରେ ଜଣା ପଡିଥିଲା କଳା କାରନାମା । ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରିଥିଲେ ଜେଲର। ସିଡ଼ିଆର ଯାଞ୍ଚ ପରେ ଟେରା ହୋଇଯାଇଥିଲା ସ୍ଥାନୀୟ ପୋଲିସ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ପୋଲିସ ୬ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଖୋର୍ଦ୍ଧା ଜେଲରେ ଥାଇ ୯୫ ଜଣ କଏଦୀ ଏହି ବ୍ରାଉନସୁଗର କାରବାରରେ ଜଡିତ ଥିବା ସୂଚନା ମିଳୁଛି । ସେମାନଙ୍କ ପାଖରୁ ୨୦ରୁ ଅଧିକ ମୋବାଇଲ ଜବତ ହୋଇଛି । ଜେଲର କ୍ୟାମେରା ଆଗରେ କିଛି କହିନାହାନ୍ତି। ଖୋର୍ଦ୍ଧା ସହର ଭିତରେ ଜେଲଥିବାରୁ ବାହାରପଟୁ ମୋବାଇଲ ଯାଉଥିବା ଅଫ ଦି କ୍ୟାମେରା ସ୍ବୀକାର କରିଛନ୍ତି ଜେଲର। ଏନେଇ ସେ ପୋଲିସର ସହଯୋଗ ଲୋଡିଛନ୍ତି ।
ଗତ ୪ ବର୍ଷର ତଥ୍ୟ ଉପରେ ନଜର ପକାଇଲେ, ୨୦୨୦ରେ ୧୮ଟି କେସ ସହିତ ୫ କେଜି ୧୩୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଘଟଣାରେ ୨୨ ପୁରୁଷ ୩ ମହିଳା ଗିରଫ ହୋଇଥିଲେ । ୨୦୨୧ରେ ୨୧ଟି କେସ ରୁଜୁ ହୋଇ ୧ କେଜି ୨୯୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ୩୨ ଜଣ ପୁରୁଷ ୫ ମହିଳା ଗିରଫ ହୋଇଥିଲେ । ୨୦୨୨ରେ ୩୭ଟି କେସରେ ୧ କେଜି ୫୯୯ ଗ୍ରାମ ବ୍ରାଉନସୁଗର ଜବତ ସହ ୮୪ ପୁରୁଷ ଓ ୯ ମହିଳା ଗିରଫ ହୋଇଥିଲେ । ସେହିପରି ୨୦୨୩ରେ ୩୩ଟି କେସରେ ୧ କେଜି ୯୭୫ ଗ୍ରାମ ବ୍ରାଉନସୁଗର ଜବତ ସହ ୭୯ ପୁରୁଷ ୨ ମହିଳା ଗିରଫ ହୋଇଥିଲେ ।
ଚଳିତ ବର୍ଷ ଏଯାଏଁ ୩ଟି କେସ ୨୯୧ ଗ୍ରାମ ବ୍ରାଉନସୁଗର ଜବତ ସହ ୮ ଜଣ ପୁରୁଷ ଗିରଫ ହୋଇଛନ୍ତି । ଜହର କାରବାର ପାଇଁ ହେଉଛି ଅନେକ ଅପରାଧ । ଡକାୟତି, ରାହାଜାନି ବାଇକ ଲୁଟ ଭଳି ଅନେକ ଅପରାଧ । ଗଡ଼ିଛି ଅନେକ ମୁଣ୍ଡ । ଏହାକୁ ମୂଳ ପୋଛ କରିବାକୁ ଖୋର୍ଦ୍ଧା ପୋଲିସ, ଅବକାରୀ ବିଭାଗ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି । ଚର୍ଚ୍ଚା ହେଉଛି ଖୋର୍ଦ୍ଧାରେ ପାକୁ ଏବଂ ସଞ୍ଜୁ ଦୁଇଟି ଗ୍ୟାଙ୍ଗ ଏହି କାରବାର କରୁଥିଲେ । ପାକୁକୁ ସଞ୍ଜୁ ଗତ ବର୍ଷ ଠେଙ୍ଗା ହାଟରେ ହତ୍ୟା କରିଥିଲା। ଏବେ ସିଏ ଏବଂ ତାର ଗ୍ୟାଙ୍ଗ ଖୋର୍ଦ୍ଧା ଜେଲରେ । ଖୋର୍ଦ୍ଧା ଜେଲରୁ ସେମାନେ ଏହି ନେଟୱର୍କ ଚଳାଉଥିଲେ । ମୋବାଇଲ ଜବତ ପରେ ସେମାନଙ୍କ ଗ୍ୟାଙ୍ଗର ଆଉ କିଛି ଯୁବକଙ୍କୁ ଗିରଫ କରିଛି ପୋଲିସ। ଅଧିକ ତଥ୍ୟ ସଂଗ୍ରହ ପାଇଁ ଅପରାଧୀଙ୍କୁ ରିମାଣ୍ଡରେ ନେଇ ପୋଲିସ ତାର ତଦନ୍ତ ଜାରି ରଖିଛି।