କିଟ୍ ଡେଣ୍ଟାଲ କଲେଜକୁ ଚରକ ଜାତୀୟ ପୁରସ୍କାର

ଭୁବନେଶ୍ୱର : କ୍ଲିନିକାଲ୍ ଉତ୍କର୍ଷତା ନିମନ୍ତେ ଇଣ୍ଡିଆନ୍ ଡେଣ୍ଟାଲ ଆସୋସିଏସନ (ଆଇଡ଼ିଏ) ପକ୍ଷରୁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନସେସ୍‌ (କିଡ଼ସ୍‌)କୁ ଜାତୀୟ ଚରକ ପୁରସ୍କାର ପ୍ରଦାନ କରାଯାଇଛି। ଆଇଡ଼ିଏ ପକ୍ଷରୁ ଗତ ୮ତାରିଖ ମୁମ୍ବାଇରେ ଅନୁଷ୍ଠିତ ଏକ ଉତ୍ସବରେ କିଡ଼ସ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କିଡ଼ସ୍ ନିର୍ଦ୍ଦେଶକ ଡା. ଯୁଗଜ୍ୟୋତି ପାଠୀ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଚିଲିର କନ୍‌ସଲ୍ ଜେନେରାଲ ଗୁସ୍ତଫୋ ଗନ୍‌ଜେଲ୍‌ଜେ, ତାଇୱାଲ୍ ଏକ୍‌ସଟର୍ନାଲ୍ ଟ୍ରେଡ୍ ଡେଭେଲପମେଣ୍ଟ କାଉନ୍‌ସିଲ୍‌ର ଆଲେକ୍‌ସ ଚେନ୍‌, ଆଇଡିଏର ସଭାପତି ଡା ଶୁଭ୍ରା ନନ୍ଦି, ମହାସଚିବ ଡା ଆଶୋକ ଧୋବଲେ ଏବଂ ନବନିର୍ବାଚିତ ସଭାପତି ଡା ମନୋଜ ଶ୍ରୀବାସ୍ତବ ପ୍ରମୁଖଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦନ୍ତ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଜାତୀୟ ଚରକ ପୁରସ୍କାର ହେଉଛି ଏକ ସମ୍ମାନଜନକ ପୁରସ୍କାର। ଦନ୍ତ ଚିକିତ୍ସାରେ କ୍ଲିନିକାଲ୍ ଉତ୍କର୍ଷତା ଓ ନବ ସର୍ଜନା କ୍ଷେତ୍ରରେ କିଡ଼ସ୍‌ର ପ୍ରତିବଦ୍ଧତାକୁ ଏକ ସ୍ୱୀକୃତି ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଦନ୍ତ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଇଡିଏ ପକ୍ଷରୁ ଚରକ ଜାତୀୟ ପୁରସ୍କାର ଆରମ୍ଭ କରାଯାଇଥିଲା। ସମଗ୍ର ଭାରତରୁ ୪ଲକ୍ଷ ସାଧାରଣ ଲୋକଙ୍କ ଭୋଟ ଓ ବିଚାରକଙ୍କ ନିଷ୍ପତି ଅନୁସାରେ କିଡ୍‌ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଡ୍‌ସର ସମସ୍ତ ଡାକ୍ତର, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, କିଡ୍ ଡେଣ୍ଟାଲ କଲେଜରେ ସର୍ବାଧୁନିକ ଦନ୍ତ ଚିକିତ୍ସା ଉପକରଣ ଓ ଭିତିଭୂମି ରହିଛି। କିଡ୍‌ସରେ ୩ଶହରୁ ଡେଣ୍ଟାଲ ଚେୟାର, ଏଆଇ ଡାଇଗ୍ନୋଷ୍ଟିକ୍‌ସ ଏବଂ ଥ୍ରିଡି ପ୍ରିଣ୍ଟିଂ ଲ୍ୟାବ ଆଦି ଉପଲବ୍‌ଧ। ଏପରିକି କିଡ୍‌ସ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରହଣ ଖଣ୍ଡିଆ ରୋଗୀଙ୍କ ପାଇଁ କ୍ଲେଫ୍‌ଟ କନେକ୍ଟ ଆପ ବିକଶିତ କରାଯାଇଛି।