କିଟ୍ ୪ ଜଣ ଛାତ୍ରଛାତ୍ରୀ ପାଇଲେ ଜାତୀୟ କ୍ରୀଡ଼ା ପୁରସ୍କାର, ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ବର : କିଟ୍ ୪ ଜଣ ଛାତ୍ରଛାତ୍ରୀ ପାଇଲେ ଜାତୀୟ କ୍ରୀଡ଼ା ପୁରସ୍କାର। ପାରା ଅଲିମ୍ପିଆନ ପ୍ରବୀଣ କୁମାର ଖେଳର ସର୍ବୋଚ୍ଚ ସମ୍ମାନ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଏହାସହ ଅଲିମ୍ପିଆନ୍ ସନ୍ତରଣକାରୀ ସାଜନ ପ୍ରକାଶ, ଆଥଲେଟ୍ ଅନ୍ନୁ ରାନୀ ଓ ଜ୍ୟୋତି ୟାରାଜୀଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ଅର୍ଜୁନ ପୁରସ୍କାର । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେପଟେ ଏହି ଖେଳାଳିମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ସହଯୋଗ ଓ ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଛନ୍ତି ।
ପ୍ରବୀଣ କୁମାର । ଭାରତର ଅନ୍ୟତମ ଖେଳର ରତ୍ନ । ମେଜର ଧ୍ୟାନଚନ୍ଦ ଖେଳରତ୍ନ ୨୦୨୪ରେ ସମ୍ମାନୀତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବାରା ସମ୍ମାନୀତ ହୋଇଛନ୍ତି ପ୍ରବୀଣ କୁମାର । କିଟ୍ ଛାତ୍ର ପ୍ରବୀଣ କୁମାର ୨୦୨୪ ପ୍ୟାରିସ ପାରାଅଲିମ୍ପିକସରେ ହାଇଜମ୍ପ T-64ରେ ଜିତିଥିଲେ ସ୍ଵର୍ଣ୍ଣ ପଦକ । ୨୦୨୦ ଟୋକିଓ ଅଲିମ୍ପିକସରେ ସେ ରୌପ୍ୟ ଜିତିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତାଙ୍କ ଯୋଗୁଁ ହିଁ ଆଜି ସେ ଖେଳ ରତ୍ନ ପୁରସ୍କାର ପାଇ ପାରିଛନ୍ତି ବୋଲି କହିଛନ୍ତି ପ୍ରବୀଣ କୁମାର।
କିଟ୍ ଛାତ୍ରୀ ଅନୁ ରାଣୀ ମଧ୍ୟ ଆଥଲେଟିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଜାଭେଲିନ୍ ଥ୍ରୋରେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ସହ ବହୁ ଜାତୀୟ ଓ ଆନ୍ତର୍ଜାତିକ ପଦକ ହାସଲ କରିଛନ୍ତି ଅନୁ ରାଣୀ। ଆଥଲେଟିକ୍ସରେ ୨୦୨୪ ରେ ପ୍ୟାରିସ୍ ଅଲିମ୍ପିକ୍ସପାଇଁ ଭାରତର ପ୍ରତିନିଧିତ୍ୱ କରି ପଦକ ଜିତିବା ସହ ଏକାଧିକ ଜାତୀୟ ରେକର୍ଡ ସ୍ଥାପନ ପାଇଁ ଜ୍ୟୋତି ୟାରାଜୀଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି।
ସନ୍ତରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର ପାଇଁଛନ୍ତି ସାଜନ ପ୍ରକାଶ। କ୍ରମାଗତ ଦୁଇ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଭାରତୀୟ ପୁରୁଷ ସନ୍ତରଣକାରୀ ତଥା ଅନେକ ସ୍ୱର୍ଣ୍ଣ ପଦକ ଜିତି ଏକାଧିକ ଜାତୀୟ ତଥା ଏସୀୟ ରେକର୍ଡ ଭାଙ୍ଗିଛନ୍ତି ସାଜନ ପ୍ରକାଶ ।
Also read:ଖେଳକୁ ପ୍ରୋତ୍ସାହନ ଦେଉଥିବାରୁ କିଟକୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି