ଏନ୍ଆଇଆରଏଫ୍ ରାଙ୍କିଙ୍ଗ-୨୦୨୪, କିଟ୍ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ୍) ପକ୍ଷରୁ ସୋମବାର ଏନ୍ଆଇଆରଏଫ୍ ରାଙ୍କିଙ୍ଗ-୨୦୨୪ ଘୋଷଣା କରାଯାଇଛି । ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିରନ୍ତର ଉଦ୍ୟମ ଯୋଗୁଁ କିଟ୍ ପୂର୍ବବର୍ଷଠାରୁ ଆଉ ଗୋଟିଏ ରାଙ୍କ ଉପରକୁ ଉଠିଛି । ଏହି ରାଙ୍କିଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟର ଲ’ ସ୍କୁଲ୍ ୧୧ତମ ସ୍ଥାନରେ ରହିଥିବା ବେଳେ ମେଡିକାଲ କଲେଜ ରାଙ୍କିଙ୍ଗରେ ୨୫ତମ ସ୍ଥାନରେ ରହିଛି ।

ଗବେଷଣା କ୍ଷେତ୍ରରେ କିଟ୍ ସମଗ୍ର ଦେଶରେ ୪୬ତମ ସ୍ଥାନରେ ରହିଛି । ଏହା ସହିତ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ଡେଣ୍ଟାଲ ରାଙ୍କିଙ୍ଗରେ ମଧ୍ୟ ପୂର୍ବ ବର୍ଷଠାରୁ କିଟ୍ ଉପରକୁ ଉଠିଛି । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, ଏନ୍ଆଇଆର୍ଏଫରେ କିଟ୍ ଆଉ ଏକ ସ୍ଥାନ ଉପରକୁ ଉଠିବା ନିଶ୍ଚିତ ଭାବେ କିଟ୍ର ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ସାମଗ୍ରିକ ଶିକ୍ଷାକୁ ସୂଚିତ କରୁଛି । ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଟ୍ର ଏହି ଧାରା ଭବିଷ୍ୟତରେ ମଧ୍ୟ ବଜାୟ ରହିବ ବୋଲି ଡକ୍ଟର ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି । କିଟ୍ ମାତ୍ର ୨୭ବର୍ଷର ଅନୁଷ୍ଠାନ ଓ ୨୦ ବର୍ଷର ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏହି ସଫଳତା କିଟ୍ ବିଶ୍ବବିଦ୍ୟାଳୟ ପାଇଁ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ଡକ୍ଟର ସାମନ୍ତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.