ଓଡ଼ିଶାରେ ଶିକ୍ଷାର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କଲେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର : କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ନୂଆଦିଲ୍ଲୀଠାରେ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାରେ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଶିକ୍ଷାର ଗୁଣବତ୍ତାରେ ଆହୁରି ଉନ୍ନତି ଆଣିବା ସହ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱରକୁ ଏକ ଶିକ୍ଷା ହବ୍ ଭାବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଥିଲେ । ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ଏ ଦିଗରେ ନିଜର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ ।
ଶିକ୍ଷାର ବିକାଶ ଦିଗରେ ବିଶେଷକରି କିଟ୍ ଓ କିସ୍ ଜରିଆରେ ଗବେଷଣାକୁ ଆହୁରି ଆଗେଇ ନେବା ପାଇଁ ସେ ଶ୍ରୀ ସାମନ୍ତଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରିବା ପରେ ଓଡ଼ିଶାରେ ଶିକ୍ଷାର ବିକାଶ ଓ ଅଭିବୃଦ୍ଧି ପାଇଁ ତାଙ୍କ ଉତ୍ସର୍ଗୀକୃତ ମନୋଭାବ ବେଶ ପ୍ରେରଣାଦାୟୀ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।