ପ୍ରକୃତିଙ୍କ ନାଁରେ କିଟରେ ମେଧାବୃତ୍ତି ଘୋଷଣା କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା

ଭୁବନେଶ୍ୱର : କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା  ଓ  ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ ।   ଏହି ଅବସରରେ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।

ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଆସିଥିବା ଦୁଇ ଅଧିକାରୀ କିଟରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ।  ଅନ୍ୟ ପକ୍ଷରେ ନିଜ ଘରକୁ ଚାଲିଯାଇଥିବା ଅନେକ ଛାତ୍ରଛାତ୍ରୀ କିଟ୍‍କୁ ଫେରିଛନ୍ତି ।  କିଟ୍‍କୁ ଫେରି ନଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କିଟ୍‍ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ଆଜି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ନେପାଳ ପ୍ରୋଭିନ୍‍ସ-୨ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲ୍‍ବାବୁ ରାଉତଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।  ପିଲାଙ୍କ କିଟ୍‍କୁ ଫେରାଇ ଆଣିବା ପାଇଁ କିଟ୍‍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀ ସାମନ୍ତ ସୂଚନା ଦେଇଥିଲେ ।  ସେହିପରି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅର୍ଜୁ ରାଣା ଦେଉବା, ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଶ୍ରୀ ସାମନ୍ତ ଆଲୋଚନା କରି ପିଲାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Also read: ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା