କ୍ୟାମ୍ପସ ଛାଡିଥିବା ଛାତ୍ରୀଛାତ୍ରଙ୍କୁ ଫେରିଆସିବାକୁ ଅନୁରୋଧ କଲା KIIT, ଖୋଲିଲା ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର

ଭୁବନେଶ୍ୱର : କିଟ ଛାତ୍ରାବାସର ଅସ୍ଥାୟୀ ନିଲମ୍ବନ ପ୍ରତ୍ୟାହାର ପରେ ଛାତ୍ରଙ୍କୁ କ୍ୟାମ୍ପସକୁ ଫେରିବାକୁ ଅପିଲ । କ୍ୟାମ୍ପସକୁ ଫେରି ପାଠପଢାରେ ଯୋଗ ଦେବାକୁ କିଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ସେମାନଙ୍କ ଶିକ୍ଷାଗ୍ରହଣରେ ଯେଭଳି ବ୍ୟାଘାତ ସୃଷ୍ଟି ନହେବ ସେଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯତ୍ନ ନିଆଯିବ ବୋଲି କୁହାଯାଇଛି ।
ସେହିପରି କିଟ କ୍ୟାମ୍ପସକୁ ନେପାଳୀ ଛାତ୍ର ଫେରିଆସିବା ପାଇଁ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କିଟର ୬ନଂ କ୍ୟାମ୍ପସରେ ଖୋଲାଯାଇଛି । କୌଣସି ସୂଚନା ଓ ପରାମର୍ଶ ପାଇଁ ଦୁଇଟି ଫୋନ ନଂ ଜାରି କରାଯାଇଛି । 7847064550 ଓ 7855029322 ନଂ ମାଧ୍ୟମରେ ପରାମର୍ଶ ପ୍ରଦାନ କରାଯିବ । ସମସ୍ତ ନେପାଳୀ ଛାତ୍ର ଏଥିରେ ପରାମର୍ଶ ନେବାକୁ କୁହାଯାଇଛି । କିଟ ସମସ୍ତ ଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଇଛି ।
ସୂଚନା ଅନୁସାରେ ଏକ ଦୁର୍ଭାଗ୍ୟଜନକ ଏବଂ ଅପ୍ରତ୍ୟାଶିତ ଘଟଣାରେ, କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ନେପାଳୀ ଝିଅ ଦୁଃଖଦ ଭାବରେ ଜୀବନ ହାରି ଥିଲେ । ସଂପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମାମଲା ପୋଲିସକୁ ହସ୍ତାନ୍ତର କରାଯାଇଛି । ଛାତ୍ରୀଙ୍କ ସହପାଠୀମାନେ ପ୍ରକାଶ କରିଛନ୍ତି ଯେ ସେ ଜଣେ ଛାତ୍ର ସହିତ ସଂପର୍କରେ ଥିଲେ, ଯାହାର ଫଳାଫଳ ଶେଷରେ ଏହି ହୃଦୟ ବିଦାରକ ଘଟଣାର ରୂପ ନେଇଥିଲା । ଏହି ମାମଲାରେ ପୋଲିସ ତୁରନ୍ତ ସଂପୃକ୍ତ ଛାତ୍ରଙ୍କୁ ଗିରଫ କରିଥିଲା । ପରିସ୍ଥିତିକୁ ଶାନ୍ତ କରିବା ପାଇଁ କିଟ୍ କର୍ତ୍ତୃପକ୍ଷ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଉତ୍ତେଜିତ ଛାତ୍ରଛାତ୍ରୀଙ୍କ ସହ ପରାମର୍ଶ ଏବଂ ଆଲୋଚନା ଜାରି ରଖିଥିଲେ । କିଟ୍ କର୍ତ୍ତୃପକ୍ଷଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ, ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଥା ଶୁଣିବାକୁ ଅନିଚ୍ଛୁକ ଥିଲେ ଏବଂ ଆଇନ ଶୃଙ୍ଖଳା ପ୍ରତି ଏକ ଚ୍ୟାଲେଞ୍ଜ ସୃଷ୍ଟି କରି ବାଧା ସୃଷ୍ଟି କରିଚାଲିଥିଲେ ।
ସେମାନେ ଘଣ୍ଟା ଘଣ୍ଟା ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ, ଯାହା ଫଳରେ ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହୋଇଥିଲା ଏବଂ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି ଅପ୍ରୀତିକର ଘଟଣା ରୋକିବା ସହ ଏକ ନିଷ୍ପକ୍ଷ ତଦନ୍ତ ଜାରି ରଖିବା ପାଇଁ, ନେପାଳୀ ଛାତ୍ରମାନଙ୍କୁ ପୋଲିସ୍ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଭିଭାବକଙ୍କ ସହାୟତାରେ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ନିଜ ନିଜ ସ୍ଥାନକୁ ଫେରିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ଛାତ୍ରାବାସର ଅସ୍ଥାୟୀ ନିଲମ୍ବନକୁ କିଟ୍ ପକ୍ଷରୁ ପ୍ରତ୍ୟାହାର କରି ନିଆଯିବା ସହ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରି ପାଠପଢ଼ାରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି ।
ଆହୁରି ପଢ଼ନ୍ତୁ : କିଟ୍ ରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ବୁଝାଶୁଝା ପରେ ଫେରିଲା ଶାନ୍ତି