କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କରିଛି ଫିକି, ୨୬ରେ କରାଯିବ ସମ୍ମାନିତ

ଭୁବନେଶ୍ୱର (କେନ୍ୟୁଜ): ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ- ଫିକି ପକ୍ଷରୁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି କିଟ୍‌କୁ ଚଳିତ ବର୍ଷର ଫିକି ଇଣ୍ଡିଆ କ୍ରୀଡା ପୁରସ୍କାର ପାଇଁ ମନୋନୀତ କରାଯାଇଛି। କ୍ରୀଡା କ୍ଷେତ୍ରରେ କିଟ୍‌ର ଉଲ୍ଲେଖନୀୟ ଅବଦାନକୁ ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରି ଏହି ପୁରସ୍କାର ପ୍ରଦାନ କରାଯାଉଥିବା ଫିକି ପକ୍ଷରୁ କୁହାଯାଇଛି। ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀସ୍ଥିତ ଫିକି ହାଉସଠାରେ ଅନୁଷ୍ଠିତ ହେବାକୁ ଥିବା ଫିକି ଭାରତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ କିଟକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।

କ୍ରୀଡା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଫିକି ଗତ ୧୦ ବର୍ଷ ହେଲା ଏହି ପୁରସ୍କାର ପ୍ରଦାନ କରିଆସୁଛି । ଏଥିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଫିକିକୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ପୁରସ୍କାର ପ୍ରଦାନ ଉତ୍ସବରେ କିଟ୍‌ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କିଟ୍‌ ପକ୍ଷରୁ ପୁରସ୍କାର ଗ୍ରହଣ କରିବେ ବୋଲି ଡ. ସାମନ୍ତ ସୂଚନା ଦେଇଛନ୍ତି।

କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଏହା ପୂର୍ବରୁ କିଟକୁ ଷ୍ଟାର ସ୍ପୋର୍ଟ ପୁରସ୍କାର ମିଳିସାରିଥିବା ବେଳେ ଚଳିତବର୍ଷ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରାଳୟ ପକ୍ଷରୁ ସମ୍ମାନଜନକ ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି । ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କିଟ୍‌ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଆସୁଛି। ଅତ୍ୟାଧୁନିକ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭ କରି ଅଲିମ୍ପିଆନ୍‌ ସୃଷ୍ଟି କରି କିଟ୍‌ ସମଗ୍ର ବିଶ୍ୱରେ ନାଁ କମାଇ ପାରିଛି ବୋଲି ଡ. ସାମନ୍ତ କହିଛନ୍ତି।

Also Read: ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଅକ୍ଷୟ ପରିଜାଙ୍କ ସହ ହେବ ମୁହାଁମୁହିଁ ଜେରା