କିଟ୍ ବିଶ୍ୱବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ, ମିଳିଲା ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା

ଭୁବନେଶ୍ୱର (କେନ୍ୟୁଜ୍) : କିଟ୍ ବିଶ୍ୱବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ । କିଟ୍ କୁ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍ ଇକୋସୋକ୍) ଦ୍ୱାରା ସ୍ୱତନ୍ତ୍ର ପରାମର୍ଶଦାତା ବା ସ୍ପେସିଆଲ୍ କନ୍ସଲ୍ଟେଟିଭ୍ ମାନ୍ୟତା ପ୍ରଦାନ । ଏହି ସ୍ୱତନ୍ତ୍ର ମାନ୍ୟତା କିଟ୍ ବିଶ୍ୱବିଦ୍ୟାଳୟକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପହଞ୍ଚାଇଛି । ଏହା ବ୍ୟତୀତ ଏହି ସମ୍ମାନ ପାଇଥିବା ବିଶ୍ୱର ଚୟନିତ ବିଶ୍ୱବିଦ୍ୟାଳୟ ଗୋଷ୍ଠୀରେ ସାମିଲ ହେବାର ଗୌରବ ଅର୍ଜନ କରିଛି କିଟ୍ । ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ମହତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି କିଟ୍କୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି । ଏହି ମାନ୍ୟତା ପାଇବାରେ ସମଗ୍ର ଭାରତରେ କିଟ୍ ହେଉଛି ଏକମାତ୍ର ବିଶ୍ୱବିଦ୍ୟାଳୟ। ସାରା ବିଶ୍ୱରୁ ୪୭୬ ଆବେଦନ ମଧ୍ୟରୁ କିଟ୍ ବିଶ୍ୱବିଦ୍ୟାଳୟ ସମେତ ୧୯ଟି ଅନୁଷ୍ଠାନ ଏହି ପ୍ରତିଷ୍ଠିତ ସମ୍ମାନ ନିମନ୍ତେ ମନୋନୀତ ହୋଇଛନ୍ତି । ଚଳିତ ମାସ ୨୩ ତାରିଖରେ ନିଉୟର୍କସ୍ଥିତ ଜାତିସଂଘର ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର ପରିଚାଳନା କମିଟି ବୈଠକ । ଏଥିରେ କିଟ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ମାନ୍ୟତା ଘୋଷଣା ସମୟରେ ୨ଶହ ଦେଶର ପ୍ରତିନିଧି ସହମତି ଥିଲା । ଏହି ସ୍ୱୀକୃତି ଜାତିସଂଘର ଏଜେଣ୍ଡା୨୦୩୦ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ କିଟ୍ର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ଅନ୍ୟପକ୍ଷରେ କିଟ୍ ମଧ୍ୟ ଜାତିସଂଘର ୟୁନାଇଟେଡ଼ ଭଲ୍ୟୁନ୍ଟିୟର୍ସ (ୟୁଏନ୍ଭି) ସହିତ ଏକ ବୁଝାମଣା ସ୍ୱାକ୍ଷର କରିଛି । ଏହି ସହଭାଗିତା କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତିସଂଘର ବିଭିନ୍ନ ସଂସ୍ଥା ସହ ସଂଶ୍ଲିଷ୍ଟ ହେବାର ସୁଯୋଗ ପ୍ରଦାନ କରିଛି। ଏମାନେ ଜାତିସଂଘର ବିଭିନ୍ନ ବିକାଶ କାର୍ଯ୍ୟକ୍ରମରେ ନ୍ୟାସନାଲ୍ ୟୁନିଭରସିଟି ୟୁଏନ୍ ଭଲ୍ୟୁନ୍ଟିୟର୍ସ ଭାବେ ନିୟୋଜିତ ହୋଇ ପାରିବେ । ଏହି ସୁଯୋଗ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୃତ୍ତିଗତ ଅଭିଜ୍ଞତା ହାସଲରେ ସହାୟକ ହେବ । ଉଚିତ୍ ଷ୍ଟାଇପେଣ୍ଡ ସହ ସେମାନଙ୍କ ଭବିଷ୍ୟତ କ୍ୟାରିଅର ଗଢ଼ିବାରେ ସାହାଯ୍ୟ କରିବ। ଏହି ପ୍ରୟାସ କ୍ଷେତ୍ରରେ କିଟ୍ ହେଉଛି ଦକ୍ଷିଣ ଏସିଆର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ। ସେହିପରି ଅନ୍ତର୍ଜାତୀୟ ବୁଝାମଣା ଓ କୂଟନୀତି ପ୍ରୋତ୍ସାହନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଶ୍ୱସ୍ତରୀୟ ଅନୁଷ୍ଠାନ ଆମେରିକାନ କାଉନ୍ସିଲ୍ ଅଫ୍ ୟଙ୍ଗ୍ ପଲିଟିକାଲ୍ ଲିଡ଼ିର୍ସ (ଏସିୱାଇପିଏଲ୍) ମଧ୍ୟ କିଟ୍ ଓ କିସ୍ ସହ ଐତିହାସିକ ସହଯୋଗ ଘୋଷଣା କରିଛି। ଏହି ସହଯୋଗ ଫଳରେ ଆମେରିକା ସରକାର ଏବଂ ଅନ୍ୟ ସହଯୋଗୀ, ଆମେରିକା ସମେତ ବିଶ୍ୱର ୧୨୯ଟି ଦେଶର ୮ ହଜାର ୯୦୦ରୁ ଊର୍ଦ୍ଧ୍ୱ ନେତା କିଟ୍ ଓ କିସ୍ର ଜୀବନ ପରିବର୍ତ୍ତନକାରୀ ବିନିମୟ କାର୍ଯ୍ୟକ୍ରମ ପରିଦର୍ଶନରେ ଆସିବେ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିନେଟ୍ ସଂଖ୍ୟାଲଘୁ ନେତା ମିଚ୍ ମାକ୍ କନେଲ, ଆମେରିକା ପରିବହନ ବିଭାଗ ସଚିବ ପିଟ୍ ବଟିଗିଏଗ୍, ଉତ୍ତର କେରୋଲିନାର ଗଭର୍ଣ୍ଣର ରାୟ କୁପର, ଇଲିନାଇସ୍ ଗର୍ଭର୍ଣ୍ଣର ଜେ ବି ପ୍ରିଟ୍ଜକର, ହୱାଇର କଂଗ୍ରେସ ସଦସ୍ୟ ତୁଳସୀ ଗବାର୍ଡ ଏବଂ ଦକ୍ଷିଣ କେରୋଲିନାର ପ୍ରାକ୍ତନ ଗଭର୍ଣ୍ଣର ନିକି ହେଲିଙ୍କ ଭଳି ପ୍ରମୁଖ ନେତୃବର୍ଗ ଏହାର ପୁରାତନ ଛାତ୍ର ଭାବେ ଏସିୱାଇପିଏଲ୍ର ଆନ୍ତର୍ଜାତିକ ସମ୍ପର୍କ ଓ ନେତୃତ୍ୱକୁ ପ୍ରଭାବିତ କରିବାର ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ସେ କହିଛନ୍ତି, ଭାରତର ଏକମାତ୍ର ବୈଷୟିକ ଓ ବୃତ୍ତିଗତ ବିଶ୍ୱବିଦ୍ୟାଳୟ ଭାବେ କିଟ୍ ଏହି ମାନ୍ୟତା ପାଇଛି । ଯାହା ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଉଭୟ କିଟ୍ ଓ କିସ୍ ହିଁ ଏହି ସମ୍ମାନ ପାଇବାର ଗୌରବର ଅର୍ଜ୍ଜନ କରିଛନ୍ତି। ପୂର୍ବରୁ ୨୦୧୫ ମସିହାରେ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର ସ୍ୱତନ୍ତ୍ର ପରାମର୍ଶଦାତା ମାନ୍ୟତା ପାଇଥିବା କିସ୍ର ଏହି ମାନ୍ୟତା ଅନୁଯାୟୀ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛି । ସେ ଆହୁରି ମଧ୍ୟ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଜାତିସଂଘର ବିଭିନ୍ନ ସଂସ୍ଥାରେ ଇଣ୍ଟର୍ଣ୍ଣସିପ୍ କରିବା ନିମନ୍ତେ ୟୁଏନ୍ ଭି ମାନ୍ୟତା ପାଇବାରେ କିଟ୍ ହେଉଛି ଦକ୍ଷିଣ ଏସିଆର ଏକମାତ୍ର ବିଶ୍ୱବିଦ୍ୟାଳୟ। ସେହିପରି ଏସିୱାଇପିଏଲର ସହଭାଗିତା କିଟ୍ ପାଇଁ ଏକ ସମ୍ମାନଜନକ କଥା ବୋଲି ଡ. ସାମନ୍ତ କହିଛନ୍ତି। ଏହାଦ୍ୱାରା ସମଗ୍ର ବିଶ୍ୱରୁ ରାଜନେତା ଓ କୁଟନୀତିଜ୍ଞ କିଟ୍ ଓ କିସ୍ ପରିଦର୍ଶନରେ ଆସିବେ । ଏଠାରେ ଇଣ୍ଟର୍ଣ୍ଣସିପ୍ କରିବା କେବଳ କିଟ୍ ଓ କିସ୍ ନୁହେଁ ଓଡ଼ିଶା ପାଇଁ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।