କିଟ୍‌ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ମିଳିଲା ଆମେରିକାର ଆବେଟ୍‌ ସ୍ୱୀକୃତି

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‌ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌)ର ସ୍ୱୀକୃତି ମିଳିଛି। ଗୋଟିଏ ଅନୁଷ୍ଠାନର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ କିଟ୍‌ ବିଶ୍ୱବିଦ୍ୟାଳୟ ଦେଶର ପ୍ରଥମ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି। ଆବେଟ୍‌ ହେଉଛି ଇଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ମାନ୍ୟତା ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ସଂଗଠନ । ଇଞ୍ଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଭାବେ ବିବେଚିତ ହେଉଥିବା ଆବେଟ୍‌ ଗୁଣାତ୍ମକ ମାନ ଥିବା ପାଠ୍ୟକ୍ରମ ସହ ଉତ୍ତୀର୍ଣ୍ଣ ହେଉଥିବା ସ୍ନାତକମାନଙ୍କୁ ଅନ୍ତର୍ଜାତୀୟସ୍ତରର କର୍ମକ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ ।

ଗୁଣାତ୍ମକ ଶିକ୍ଷା ସହ ଅନ୍ୟାନ୍ୟ ବିଷୟରେ ସମାନୁପାତିକ ଉନ୍ନତମାନ ପାଇଁ ଆମେରିକାର ଆବେଟ୍‌ କିଟ୍‌ର ୬ଟି ପାଠ୍ୟକ୍ରମକୁ ଏକାଥରେ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ୱସ୍ତରରେ ସମ୍ମାନିତ ବେଞ୍ଚମାର୍କ ପ୍ରଦାନ କରୁଥିବା ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ସଂଗଠନ ଆଇଇଟି (ଇଂଲଣ୍ଡ) ଦ୍ୱାରା ଏହି ଉଚ୍ଚ ଗୁଣବତ୍ତା-ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ସ୍ୱୀକୃତିପ୍ରାପ୍ତ । ଏହା ପୂର୍ବରୁ କିଟ୍‌ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ବିଭିନ୍ନ ବୈଧାନିକମଣ୍ଡଳ ଦ୍ୱାରା ସର୍ବଭାରତୀୟସ୍ତରରେ ସର୍ବୋଚ୍ଚ ମାନ୍ୟତା ପାଇବାର ଗୌରବ ଅର୍ଜନ କରିଛି । କୌଣସି ବୈଷୟିକ ଅନୁଷ୍ଠାନକୁ ସ୍ୱୀକୃତି ପ୍ରଦାନ ପୂର୍ବରୁ ଆବେଟ୍‌ ଏଥିରେ କରୁଥିବା ପୁଙ୍ଖାନୁପୁଙ୍ଖ ସମୀକ୍ଷାକୁ ବିଶ୍ୱସ୍ତରରେ ସମ୍ମାନ ଦିଆଯାଇଥାଏ ।

ଏହା ସହିତ ଅନୁଷ୍ଠାନର ବୈଷୟିକ ଶାଖାଗୁଡ଼ିକର ଏକାଡେମିକ୍‌ ପାଠ୍ୟକ୍ରମଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାୟନ କରିଥାଏ । ଆବେଟ୍‌ ଏହି ପ୍ରକ୍ରିୟାରେ ଅନୁଷ୍ଠାନର ଶିକ୍ଷାଦାନ ଗୁଣବତ୍ତା, ସଠିକତା ଓ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଏ । ଏହି ମାନ୍ୟତା ପାଇବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଡକ୍ଟର ସାମନ୍ତ କହିଛନ୍ତି ଏହି ମାନ୍ୟତା ପାଇବା ଦ୍ୱାରା କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟସ୍ତରରେ ନିଜ ଭବିଷ୍ୟତ ତିଆରି କରିବାରେ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି । ଆବେଟ୍‌ ମାନ୍ୟତା ପାଇଁ ଯେ କୌଣସି ବୈଷୟିକ ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ଡକ୍ଟର ସାମନ୍ତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.