ରଶ୍ମିଙ୍କ ପରିବାରକୁ ସହାୟତା ଯୋଗାଇଲେ କିଟ୍ ଓ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍) :ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପିଏଚ୍ଡି କରୁଥିବା ରଶ୍ମିରଞ୍ଜନ ସୁନାଙ୍କ ଅକାଳ ମୃତ୍ୟୁରେ ବେସାହାରା ହୋଇପଡିଥିବା ତାଙ୍କ ପରିବାରକୁ କିସ୍ ଫାଉଣ୍ଡେସନ୍ ସହାୟତାର ହାତ ବଢାଇଛି । ଗତ ନଭେମ୍ବରରେ ହାଇଦ୍ରାବାଦରେ ଡେଙ୍ଗୁରେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ରଶ୍ମି ରାଜୀବ ଗାନ୍ଧୀ ଜାତୀୟ ମେଧାବୃତ୍ତି ପାଇ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପିଏଚ୍ଡି କରୁଥିଲେ । ତାଙ୍କ ମୃତ୍ୟୁରେ ହାଇଦ୍ରାବାଦ୍ରେ ରହୁଥିବା ଓଡିଆ ସମାଜ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା ।
ରଶ୍ମିଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ କିଟ୍,କିସ୍ ଓ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରିଥିଲେ । ହାଇଦ୍ରାବାଦ ଓଡିଆ ସମାଜର ଅନୁରୋଧ ରକ୍ଷା କରି ଡକ୍ଟର ଅଚ୍ୟୁତ ସାମନ୍ତ ରଶ୍ମିଙ୍କ ପରିବାରକୁ ସହଯୋଗ ଯୋଗାଇ ଦେବା ସହ ରଶ୍ମିଙ୍କ ଭଉଣୀ ପଦ୍ମାବତୀକୁ କିସ୍ -କଳାହାଣ୍ଡିରେ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ସୋମବାର ରଶ୍ମିଙ୍କ ମାମୁ ଓ ଭଉଣୀ ପଦ୍ମାବତୀ କିସ୍ରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସାକ୍ଷାତ କରିଥିଲେ । ରଶ୍ମିଙ୍କ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଚେକ୍ ଆକାରରେ ତାଙ୍କ ମାମୁଙ୍କୁ ପ୍ରଦାନ କରିଥିବା ବେଳେ ପଦ୍ମାବତୀକୁ କିସ୍-କଳାହାଣ୍ଡିରେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।
ବେସାହାରା ହୋଇପଡିଥିବା ରଶ୍ମିରଞ୍ଜନଙ୍କ ପରିବାରକୁ ଡକ୍ଟର ଅଚ୍ୟୁତ ସାମନ୍ତ ଓ କିସ୍ ଫାଉଣ୍ଡେସନ୍ ସହାୟତାର ହାତ ବଢାଇଥିବାରୁ ହାଇଦ୍ରାବାଦ ଓଡିଆ ସମାଜ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଆମ ପରିବାରକୁ ଡକ୍ଟର ଅଚ୍ୟୁତ ସାମନ୍ତ ଓ କିସ୍ ଫାଉଣ୍ଡେସନ୍ ଏହି ସହାୟତା ବଞ୍ଚିବାର ରାହା ଯୋଗାଇଛି ବୋଲି ରଶ୍ମିରଞ୍ଜନଙ୍କ ମାମୁ ଓ ଭଉଣୀ ପଦ୍ମାବତୀ କହିଛନ୍ତି । ସେମାନେ ଡକ୍ଟର ଅଚ୍ୟୁତ ସାମନ୍ତ ଓ କିସ୍ ଫାଉଣ୍ଡେସନ୍କୁ କୃତଜ୍ଞତା ଜଣାଇଛନ୍ତି । କଳାହାଣ୍ଡି ଜିଲ୍ଲା କଲରାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଞ୍ଝିପଦର ସାପଲହରା ଗାଁର ରଶ୍ମିରଞ୍ଜନଙ୍କ ବାପା ଜଣେ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ । ରଶ୍ମିରଞ୍ଜନ ସେମାନଙ୍କର ଏକମାତ୍ର ସାହା ଭରସା ଥିଲେ ।