ସରଳତାର ବଡ଼ ଉଦାହରଣ ସାଜିଲେ କିଟ୍ ବଗିଚା ମାଳି ସହଦେବ ରାଉତ, ଅଟୋ ଡ୍ରାଇଭରଙ୍କ ହଜିଯାଇଥିବା ମନିପର୍ସକୁ ଫେରାଇ ଦେଖାଇଲେ ମହାନତା
ଭୁବନେଶ୍ବର(କେନ୍ୟୁଜ୍): ମହାନତା ଦେଖାଇଲେ କିଟର ବଗିଚା ମାଳି ସହଦେବ ରାଉତ। ବାଟରେ ପଡିଥିବା ଟଙ୍କା ଭର୍ତ୍ତି ମନିପର୍ସକୁ ପାଇ ହଜାଇଥିବା ଲୋକକୁ ଫେରାଇଲେ। ଘଟଣା ଘଟିଛି କଳିଙ୍ଗ ଟିଭିର ନୟାପଲ୍ଲୀ ସ୍ଥିତ ଷ୍ଟୁଡିଓ ନମ୍ବର -୨ ନିକଟରେ । ସୂଚନା ପ୍ରକାରେ ବିକାଶ ପୁହାଣ ନାମକ ଜଣେ ଅଟୋ ଡ୍ରାଇଭର କଳିଙ୍ଗ ଟିଭିର ଷ୍ଟୁଡିଓ ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ମନିପର୍ସଟି ରାସ୍ତାରେ ପଡିଯାଇଥିଲା। ସେଠାରୁ କିଟର ବଗିଚା ମାଳି ସହଦେବ ରାଉତ ଯାଉଥିବା ସମୟରେ ପର୍ସଟିକୁ ପାଇଥିଲେ। ପରେ ଦେଖିଲେ ସେଥିରେ ୪ ହଜାରରୁ ଉର୍ଦ୍ଧ୍ବ ଟଙ୍କା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ଅଛି। ଏହା ଦେଖି ସାଙ୍ଗେ ସାଙ୍ଗେ ସେ କଳିଙ୍ଗ ଟିଭିର କର୍ମଚାରୀଙ୍କୁ ଏକଥା ଜଣାଇଥିଲେ।
ପରେ ମନିପର୍ସରେ ଥିବା ଡ୍ରାଇଭିଂ ଲାଇସେନ୍ସରୁ ଅଟୋ ମହାସଂଘର ଠିକଣା ପାଇ କଳିଙ୍ଗ ଟିଭିର କର୍ମଚାରୀ ହରିହର ସାହୁ ବିକାଶଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ବିକାଶ କଳିଙ୍ଗ ଟିଭିର କାର୍ଯ୍ୟାଳୟ ଆସି ସହଦେବଙ୍କ ଠାରୁ ମନିପର୍ସଟି ନେଇଥିଲେ ଓ ଏଭଳି ମାହାନତା ପାଇଁ ସହଦେବଙ୍କୁ ଧନ୍ୟବାଦ ଦେବା ସହ ମିଠା ଖୁଆଇ ଆଳିଙ୍ଗନ କରିଥିଲେ। ବାସ୍ତବରେ ସହଦେବଙ୍କ ଭଳି ଲୋକଙ୍କ ମହାନତା ପାଇଁ ଭାଇଚାରା ବଞ୍ଚି ରହିଛି।