କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍ର ଦଶମ ପ୍ରତିଷ୍ଠା ଦିବସ
![kiit](https://knewsodisha.com/wp-content/uploads/2024/12/kiit-2.jpg)
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍ର ଦଶମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ସ୍ୱତନ୍ତ୍ର ଶିଶୁମାନେ ମଧ୍ୟ ଭଗବାନଙ୍କ ଅମୃତ ସନ୍ତାନ ବୋଲି କହିଛନ୍ତି। ଏଭଳି ପିଲାଙ୍କ ବିଷୟରେ ଚିନ୍ତା କରିବା ଓ ସେମାନଙ୍କୁ ମାର୍ଗଦର୍ଶନ କରିବା ହେଉଛି ଗୁରୁ ଦାୟିତ୍ୱ । କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍ ଏ ଦିଗରେ ବ୍ୟାପକ ପଦକ୍ଷେପ ନେଇଥିବାରୁ ସୁରମା ପାଢ଼ୀ ସେନ୍ ଗ୍ଲୋବକୁ ଧନ୍ୟବାଦ ଜଣାଇଥିଲେ ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, ସ୍ୱତନ୍ତ୍ର ଛାତ୍ରଛାତ୍ରୀମାନେ ସମସ୍ତଙ୍କ ସହ ସମାନ ଭାବେ ବଞ୍ଚିବାର ଅଧିକାର ରହିଛି । କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଭାରତର ଏକମାତ୍ର ଅନୁଷ୍ଠାନ ଯେଉଁଠି ଅନ୍ୟ ସାଧାରଣ ପିଲାଙ୍କ ସହ ସେନ୍ ଗ୍ଲୋବର ସ୍ୱତନ୍ତ୍ର ପିଲାଙ୍କୁ ସମାନ୍ତର ଭାବେ ଯତ୍ନ ନିଆଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଯାଉଛି । ଏହା ଏକ ସୁନ୍ଦର ପରିକଳ୍ପନା । ସେହି ପିଲାଙ୍କଠାରେ କଣ ଅଭାବ ରହିଛି ତା ଉପରେ ଅନୁଧ୍ୟାନ କରାଯାଇ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ସେହି ପିଲାଙ୍କ ଆବଶ୍ୟକ ଅନୁସାରେ ଗୁରୁତ୍ୱ ଦିଆଯାଇଥାଏ ।
ଏଭଳି ସ୍ୱତନ୍ତ୍ର ଶିଶୁଙ୍କ ପିତାମାତା ଓ ଅଭିଭାବକମାନେ ଏହାକୁ ନକରାତ୍ମକ ନଭାବି ପରିସ୍ଥିତିର ସାମନା କରିବାକୁ ଡ. ସାମନ୍ତ ଆହ୍ୱାନ ଦେଇଥିଲେ । କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇ କହିଲେ, ସେନ୍ ଗ୍ଲୋବ୍ରେ ସମ୍ମିଳିତ ଶିକ୍ଷା ପ୍ରଦାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଫଳରେ ସ୍ୱତନ୍ତ୍ର ପିଲାଙ୍କ ମଧ୍ୟରେ ଥିବା ଅକ୍ଷମତା ସେମାନେ ଅନୁଭବ ନ କରି ସାମଗ୍ରିକ ବିକାଶ ଦିଗରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି ବୋଲି ଡ. ବଳ ସୂଚନା ଦେଇଥିଲେ।
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଡ. ସଞ୍ଜୟ ସୁଆର କହିଲେ, ଗତ ୧୦ବର୍ଷ ମଧ୍ୟରେ ସେନ୍ ଗ୍ଲୋବ୍ ଯଥେଷ୍ଟ ଉନ୍ନତି କରିଛି । ଏହାର ଛାତ୍ରଛାତ୍ରୀମାନେ ଜୀବନକୌଶଳ ଶିକ୍ଷା ଲାଭ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ ଓ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍ର ପରାମର୍ଶଦାତା ସ୍ୱାଗତିକା ସାମନ୍ତରାୟ ଉପସ୍ଥିତ ରହି ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ଅଧିବେଶନରେ ବିଶିଷ୍ଟ ମନସ୍ତତ୍ତ୍ୱବିତ୍ ପ୍ରଫେସର ୟୁ ଏନ୍ ଦାଶ, ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସିଆଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଗବେଷଣା ପରାମର୍ଶଦାତା ପ୍ରଫେସର ହରେଶ ମିଶ୍ର ଅଂଶଗ୍ରହଣ କରି ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ଯତ୍ନ ଉପରେ ଆଲୋକପାତ କରିଥିଲେ । ଶେଷରେ ସେନ୍ ଗ୍ଲୋବ୍ ସଂଯୋଜିକା ସୁକନ୍ୟା ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।