ଭୁବନେଶ୍ୱର : ୩୦ବର୍ଷରେ ପଦାର୍ପଣ କଲା କିଟ୍ ପଲିଟେକ୍ନିକ୍ । ପ୍ରତିଷ୍ଠା ଦିନଠାରୁ କିଟ୍ ପଲିଟେକ୍ନିକ ସର୍ବଦା ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସିଛି ବୋଲି କିଟ୍ ପଲିଟେକ୍ନିକ୍ର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁଣାତ୍ମକ ଶିକ୍ଷାଦାନ ପାଇଁ କିଟ୍ ପଲିଟେକ୍ନିକ୍ କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଶ୍ରେଷ୍ଠ ପଲିଟେକ୍ନିକର ମାନ୍ୟତା ପାଇଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ରାଜ୍ୟର ପ୍ରଥମ ପଲିଟେକ୍ନିକ ଭାବେ ସ୍ୱୀକୃତି ପାଇଥିବା ଡ. ସାମନ୍ତ ସୂଚନା ଦେଇଥିଲେ ।
ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଶୃଙ୍ଖଳା ପ୍ରତି ଧ୍ୟାନ ଦେଇ ଆସୁଥିବା କିଟ୍ ପଲିଟେକ୍ନିକ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଦୃତ ହୋଇପାରିଛି । ଏହି ଅବସରରେ କିଟ୍ ପଲିଟେକ୍ନିକ ଅଧ୍ୟାପକ ଓ କର୍ମଚାରୀଙ୍କ ବେତନ ସେମାନଙ୍କ ଦକ୍ଷତା ଅନୁଯାୟୀ କିଟ୍ ବିଶ୍ୱବିଦ୍ୟାଳୟ କର୍ମଚାରୀ ଓ ଅଧ୍ୟାପକଙ୍କ ବେତନର ସମକକ୍ଷ ହେବ ବୋଲି ଡ. ସାମନ୍ତ ଘୋଷଣା କରିଥିଲେ । ଏହା ସହିତ ୪୪ଜଣ ଅଧ୍ୟାପକଙ୍କୁ ଡ. ସାମନ୍ତ ଗୋଟିଏ ଲେଖାଏଁ ଲାପଟପ ମଧ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ କିଟ୍ ପଲିଟେକ୍ନିକ ପରିସରରେ ଏକ କ୍ୟାଣ୍ଟିନ୍ ମଧ୍ୟ ପ୍ରତିଷ୍ଠାତ ଡ. ସାମନ୍ତଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ର ସମ୍ପାଦକ ଆର ଏନ୍ ଦାଶ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍ ପଲିଟେକ୍ନିକର ଅଧ୍ୟକ୍ଷ ପ୍ରଫେସର ତନ୍ମୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।