ଟାଇମ୍‍ସ ଅଫ୍‍ ଇଣ୍ଡିଆ ରଥଯାତ୍ରା ପ୍ରତିଯୋଗିତାରେ ଶ୍ରୀବାଣୀକ୍ଷେତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର: ବହୁଳ ପ୍ରସାରିତ ଦୈନିକ ଇଂରାଜୀ ସମ୍ବାଦପତ୍ର ଦି ଟାଇମ୍‍ସ ଅଫ୍‍ ଇଣ୍ଡିଆ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାକୁ ନେଇ ହେଇଥିବା ପ୍ରତିଯୋଗିତାରେ କିସ୍‍ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ଶ୍ରେଷ୍ଠ ବିବେଚିତ ହେବାର ସୌଭାଗ୍ୟ ଅର୍ଜନ କରିଛି । ଶ୍ରୀବାଣୀକ୍ଷେତ୍ର ରିଡର୍ସ ଚଏସ୍‍ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୁରୀ ଚଏସ୍‍ ବର୍ଗରେ ରନର୍ସ ଅପ୍‍ ହୋଇଛି । ଟାଇମ୍‍ ଅଫ୍‍ ଇଣ୍ଡିଆ ପକ୍ଷରୁ ଗତବର୍ଷଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଶ୍ରୀବାଣୀକ୍ଷେତ୍ର ଲାଗାତର ଦ୍ୱିତୀୟ ଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଆଧାର କରି ରଥ ସାଜସଜ୍ଜାକୁ ନେଇ ଟାଇମ୍‍ସ ଅଫ୍‍ ଇଣ୍ଡିଆ ପକ୍ଷରୁ ଅନ୍‍ଲାଇନ୍‍ରେ କରାଯାଇଥିବା ରିଡର୍ସ ସର୍ବେକ୍ଷଣରେ ଶ୍ରୀବାଣୀକ୍ଷେତ୍ର ରଥ ସର୍ବାଧିକ ପାଠକଙ୍କ ଦ୍ୱାରା ଆଦୃତ ହୋଇଥିଲା । ଶ୍ରୀବାଣୀକ୍ଷେତ୍ର ମନ୍ଦିର ଟ୍ରଷ୍ଟ ପକ୍ଷରୁ ରତ୍ନାକର ପତି ଏହି ପୁରସ୍କାର ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ଶ୍ରୀବାଣୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହୋଇଥିବାବେଳେ ଏଠାରେ ଆହୁରି ଅନେକଗୁଡ଼ିଏ ଦେବାଦେବୀ ମନ୍ଦିର ମଧ୍ୟ ପ୍ରତିଷ୍ଠା ହୋଇଛି । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କ ସମେତ ବହୁ ସାଧୁସନ୍ଥଙ୍କ ଉପସ୍ଥିତିରେ ପୁରୀ ଗଜପତି ମହାରାଜ ଶ୍ରୀଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହୋଇଥିଲା । ଏଠାରେ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିର ରୀତି ନୀତି ଅନୁଯାୟୀ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି, ପର୍ବପର୍ବାଣୀ ଓ ଜାନିଯାତ୍ରା ପାଳନ କରାଯାଇଥାଏ । ଶ୍ରୀବାଣୀକ୍ଷେତ୍ରର ସମସ୍ତ ନୀତିକାନ୍ତି, ପର୍ବପର୍ବାଣୀ ଓ ଜାନିଯାତ୍ରା କିଭଳି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ମନ୍ଦିରର ପ୍ରଥମ ସେବକ ଅଚ୍ୟୁତ ସାମନ୍ତ ନିଷ୍ଠାର ସହ ବ୍ୟକ୍ତିଗତ ଭାବେ ସମସ୍ତ କାର୍ଯ୍ୟର ତଦାରଖ କରିଥାନ୍ତି ।

ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ନିମନ୍ତେ ବହୁ ସେବାୟତ ଓ ବ୍ରାହ୍ମଣ ନିୟୋଜିତ ହୋଇଛନ୍ତି । ଏହି ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏଠାରେ ରଥଯାତ୍ରା ମଧ୍ୟ ଅତି ଆକର୍ଷଣୀୟ ହୋଇଥାଏ । ପୁରୀ ଭଳି ଏଠାରେ ମଧ୍ୟ ତିନୋଟି ରଥ ନିର୍ମାଣ କରାଯାଇଥାଏ । ପ୍ରତିବର୍ଷ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ କରି ଶ୍ରୀବାଣୀକ୍ଷେତ୍ରର ସ୍ଥାୟୀ ଗୁଣ୍ଡିଚାମନ୍ଦିରକୁ ନବଦିନ ଯାତ୍ରାରେ ଯାଇଥାନ୍ତି । ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ଅବସ୍ଥାନ ସମୟରେ ପ୍ରତିଦିନ ଜନସାଧାରଣଙ୍କ ନିମନ୍ତେ ପ୍ରସାଦସେବନ ଓ ସଂଧ୍ୟାରେ ଭଜନ ସଂଧ୍ୟା ଆୟୋଜନ କରାଯାଇଥାଏ । ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ରଥଯାତ୍ରାଭାବେ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ରାଜଧାନୀବାସୀଙ୍କ ମଧ୍ୟରେ ବେଶ୍‍ ଆଦୃତ ହୋଇପାରିଛି । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାକୁ ଅଧିକ ପସନ୍ଦ କରିଥିବାରୁ ଅଗଣିତ ଭକ୍ତ ଓ ପାଠକଙ୍କୁ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ସହ କୃତଜ୍ଞତା ଜଣାଇଛନ୍ତି ।

You might also like