ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ
ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ । ତ୍ରିଷ୍ଣା ରାୟ ହେଲେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ମର୍ଯ୍ୟାଦାଜନକ ଇଭେଣ୍ଟରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗନେଇଥିବା ବେଳେ ତ୍ରିଷ୍ଣା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ତ୍ରିଷ୍ଣା କିଟ୍ ସ୍କୁଲ୍ ଅଫ୍ ଫେସନ୍ ଟେକ୍ନୋଲୋଜିର ଛାତ୍ରୀ । ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ତ୍ରିଷ୍ଣା ହେଉଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ଓ ରାଜଶ୍ରୀ ରାୟଙ୍କ ଝିଅ । ଝିଅର ସଫଳତାରେ ବେଶ୍ ଖୁସି ପ୍ରକାଶ କରିଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ।
ଛୋଟ ବେଳରୁ ଫ୍ୟାସନ ପ୍ରତି ରୁଚି ରଖିଥିବା ତ୍ରିଷ୍ଣା ବାପା ମା’ଙ୍କୁ ଗର୍ବିତ କରିବାକୁ ଚାହୁଁଥିଲେ । କିଛି ବଡ଼ କରିବାର ଆଶା ତାଙ୍କୁ ଦିନ ରାତି ଶୁଆଇ ଦେଉନଥିଲା । ତ୍ରିଷ୍ଣାଙ୍କ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବାପା ମା’ଙ୍କ ଅବଦାନ ଅତୁଳନୀୟ । ବାପା ମା’ ଝିଅକୁ ସବୁଥିରେ ସବୁବେଳେ ସହଯୋଗ କରିଥିଲେ । ଯେଉଁଥିପାଇଁ ତ୍ରିଷ୍ଣା ଏହି ସଫଳତାକୁ ସହଜରେ ହାସଲ କରି ପାରିଛନ୍ତି । କଟକରେ ନିଜ ପରିବାର ସହ ରୁହନ୍ତି ତ୍ରିଷ୍ଣା ।
ଏହି ସଫଳତା ପାଇବା ପାଇଁ ବହୁ ଆଗରୁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ପାଠ ପଢ଼ା ସହ କିଛି ଭିନ୍ନ କରିବାର ଲକ୍ଷ୍ୟ ତାଙ୍କୁ ଶୁଆଇ ଦେଉ ନଥିଲା । ନିଷ୍ଠା ଓ ପରିଶ୍ରମ ବଳରେ ନିଜ ଲକ୍ଷ୍ୟ ହାସଲ କରିଛନ୍ତି ତ୍ରିଷ୍ଣା । ସେଥିପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଗତ ବର୍ଷ ଏପ୍ରିଲ ୧୩ ତାରିଖରେ ସେ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ବିବେଚିତ ହୋଇଥିଲେ । ଜଣେ ସେନା ଅଧିକାରୀଙ୍କ ଝିଅ ଭାବରେ ସେ ଖୁବ୍ ଶୃଙ୍ଖଳିତ ଏବଂ ପରିଶ୍ରମୀ । ତାଙ୍କର ଦେଶ ପ୍ରତି ଖୁବ୍ ଭକ୍ତି ରହିଛି । ସେହିପରି ସେ ଭଲିବଲ୍, ବ୍ୟାଡମିଣ୍ଟନ ଭଳି ବିଭିନ୍ନ ଖେଳରେ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି । ଜଣେ ଭଲ ଲିଡର ଭାବରେ ତାଙ୍କର ନାଁ ମଧ ରହିଛି ।
ତାଙ୍କର ନିଷ୍ଠା ଏମିତି ଯେ ପାଦରେ ଆଘାତ ରହିଥିବା ସତ୍ତ୍ବେ ସେ ଗତ ଥର ରାମ୍ପୱାକରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ । ଏହା ସହିତ ବ୍ୟୁଟି ୱିଥ୍ ବ୍ରେନ୍, ଭାଷଣରେ ଶ୍ରେଷ୍ଠ ଏବଂ ମିସ୍ ଟିନ୍ ଇଣ୍ଡିଆ ଇଷ୍ଟ ହୋଇଥିଲେ ।