ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟର ଦୁଇଟି ଷ୍ଟାଡିୟମ୍‍, ସମ୍ବର୍ଦ୍ଧିତ କରିବା ପରେ ଘୋଷଣା କଲେ ଡ. ଅଚ୍ୟୁତ ସାମନ୍ତ 

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ଏବଂ ଦୌଡ଼ରାଣୀ ଦ୍ୱିତୀ ଚାନ୍ଦଙ୍କ ନାମରେ କିଟର ଦୁଇଟି ଷ୍ଟାଡିୟମକୁ ନାମିତ କରାଯିବ । କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଜି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ।

୧୨ ନମ୍ବର କ୍ୟାମ୍ପସ୍ ରେ ଥିବା ଇନଡୋର ଷ୍ଟାଡିୟମ୍ କୁ ‘ପ୍ରମୋଦ ଭଗତ ଇନଡୋର ଷ୍ଟାଡିୟମ୍’ ନାମରେ ନାମିତ କରାଯିବ । ପାରା ଅଲିମ୍ପିକ୍ସ ଯିବା ପୂର୍ବରୁ ପ୍ରମୋଦ ଏହି ଷ୍ଟାଡିୟମ୍ ରେ ଦୀର୍ଘ ଦିନ ଧରି ଅଭ୍ୟାସ କରୁଥିଲେ । ସେହିଭଳି କିଟ୍ ର ସିନ୍ଥେଟିକ୍ ଆଥଲେଟିକ୍ ଷ୍ଟାଡିୟମ୍ କୁ ‘ଦୂତୀ ଚାନ୍ଦ ଷ୍ଟାଡିୟମ୍’ ନାମରେ ନାମିତ କରାଯିବ ବୋଲି ଡ. ସାମନ୍ତ ଘୋଷଣା କରିଛନ୍ତି । ଦୁଇ ଜଣ ଅଲିମ୍ପିଆନଙ୍କ ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଦୁଇ ଦୁଇଟି ଷ୍ଟାଡିଅମ ଏକାଥରକେ ନାମିତ ହେବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଛି ।

kiit 2

ଆସନ୍ତା ଡିସେମ୍ବରରେ ଏହି ନାମକରଣ ହେବ । କିଟ୍ କିମ୍ବା କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାବର୍ଷ ଦୁହିଁଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ସାମନ୍ତ କିଟ୍‍ ଓ କିସର ବରିଷ୍ଠ ପଦାଧିକାରୀଙ୍କ ଗହଣରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ପ୍ରମୋଦଙ୍କୁ ନଗଦ ୫ ଲକ୍ଷ ଟଙ୍କା ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

 

kiit1

ସେହିପରି ଭାରତର ଦୌଡ଼ରାଣୀ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୧୩ ମସିହାରୁ କିଟ୍‍ ଓ କିସ୍‍ ପକ୍ଷରୁ ଦୂତୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଇ ଆସୁଛି। ଦୂତୀ ଦୁଇ ଦୁଇ ଥର ଅଲମ୍ପିକ୍‍ ଟ୍ରାକରେ ଦୌଡ଼ିବାର ଗୌରବ ଅର୍ଜନ କରିଥିବା ବେଳେ ଏସିଆଡ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରି ଆସୁଛନ୍ତି ବୋଲି ଶ୍ରୀ ସାମନ୍ତ ତାଙ୍କ ଭାଷଣରେ କହିବା ସହ ପ୍ରମୋଦ ଭଗତ ଓ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ କିଛି କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ହୁଇଲ୍‍ ଚେୟାର ଅସି ଚାଳକ ବିଶ୍ୱ ଚାମ୍ପିଅନ୍‍ ରାଖାଲ୍‍ ସେଠୀଙ୍କୁ ୨.୭ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ଏହି ଅର୍ଥରେ ସେ ଏକ ହୁଇଲ୍‍ ଚେୟାର କିଣି ଆସନ୍ତା ନଭେମ୍ବରରେ ଇଟାଲୀର ପିସାଠାରେ ଅନୁଷ୍ଠିତ ହେବାକୁ ଥିବା ଦି ଲିନିଂ ଟାୱାର ବିଶ୍ୱକପରେ ଅଂଶଗ୍ରହଣ କରିପାରିବେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.