ଫୁଟିଲା ଗୁଳି : ଛେଳି ବେପାରୀଙ୍କୁ ହତ୍ୟା କରି ଲୁଟିନେଲେ ୯ଲକ୍ଷ ଟଙ୍କା
ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ । ଛେଳି ବେପାରୀଙ୍କୁ ଗୁଳି କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ ।
ସୁନ୍ଦରଗଡ଼ (କେନ୍ୟୁଜ): ଛେଳି ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୯ଲକ୍ଷ ଟଙ୍କା । ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଘଟିଛି ଗୁଳିକାଣ୍ଡ । ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ୟା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି । ମୃତକ ଛେଳି ବେପାରୀ ଜଣକ ହେଲେ ତାଳମୁଣ୍ଡା ଗାଁର ପ୍ରଭାତ ନାଏକ ।
ସୂଚନା ଅନୁସାରେ ପ୍ରଭାତ ଗୁଣ୍ଡିଆଡ଼ିହି ହାଣିପାନୀ ବଜାରକୁ ଛେଳି କିଣିବା ପାଇଁ ଯାଉଥିବା ସମୟରେ ଗୁଳି କରିଥିଲେ ଦୁବୃର୍ତ୍ତ । ବାଇକରେ ୩ ଜଣ ଆସି ଛେଳି ବେପାରୀଙ୍କ ଉପରେ ଗୁଳି କରି ଟଙ୍କା ଲୁଟିଥିଲେ । ୩ ଜଣ ହେଲମେଟ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ପ୍ରଭାତକୁ ଧକ୍କା ଦେଇଥିଲେ । ପ୍ରଭାତ ବାଇକ ସହ ତଳେ ପଡିଯାଇଥିଲେ । ଲୁଟେରା ବୋଲି ଜାଣି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ପ୍ରଭାତ । ଏହି ସମୟରେ ଜଣେ ଦୂର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଲେଫ୍ରିପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।