କିସ୍‌ରେ ମାଟ୍ରିକ୍ ଫଳାଫଳ ଶତ ପ୍ରତିଶତ, ଜ୍ୟୋତ୍ସ୍ନା କିଷାନ ସର୍ବାଧିକ ନମ୍ବର ରଖି ସ୍କୁଲ୍‍ ଟପ୍ପର

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲ୍‍ର ୧୦୨୫ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୧୩୯ ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତବର୍ଷ ରାଜ୍ୟ ଫଳାଫଳ ୯୦.୫୫ ହୋଇଥିବା କିସ୍‌ର ପାସ୍ ହାର ୯୯.୬୩ ପ୍ରତିଶତ ପ୍ରତିଶତ ହୋଇଛି । ଚଳିତବର୍ଷ କିସ୍‌ର ମୋଟ ୨୧୭୫ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ । କିସ୍‍ ଛାତ୍ରୀ ଜ୍ୟୋତ୍ସ୍ନା କିଷାନ ସର୍ବାଧିକ ୫୬୫ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି । ସେହିପରି ରଶ୍ଚିତା ନାୟକ ୫୪୩ ନମ୍ବର ଓ ଲିବୁ ସର୍ଦ୍ଦାର ୫୪୦ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍‍ ଫଳାଫଳ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍‍ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି, କରୋନା ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ଯୋଗୁଁ କିସର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିପାରିଛନ୍ତି। ଏଥିପାଇଁ ଶ୍ରୀ ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.