୫ ଅନାଥଙ୍କୁ ମିଳିଲା ସହାୟତାର ହାତ, ସହଯୋଗ କଲା କିସ ଫାଉଣ୍ଡେସନ

କନ୍ଧମାଳ(କେନ୍ୟୁଜ୍) : କୋଟଗଡ଼ ବ୍ଲକ ଦୁଆବାଡା ଗାଁର ଦିନେଶ୍ୱର ରୂପାମାଝୀ ଓ ପତ୍ନୀ ରଜନ୍ତୀ ରୂପାମାଝୀଙ୍କ ମୃତ୍ୟୁପରେ ତାଙ୍କ ପରିବାରର ୫ ପୁଅ ଝିଅ ସଂପୂର୍ଣ୍ଣ ଅନାଥ ହୋଇପଡିଛନ୍ତି । ଗତବର୍ଷ ଦିନେଶ୍ୱରଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୧୯ ତାରିଖରେ ରଜନ୍ତୀ ମାଝୀ ମୃତ୍ୟୁବରଣ କରିଛନ୍ତି । ଏହି ୫ ଭାଇ ଭଉଣୀଙ୍କ ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛି କିସ୍ ଫାଉଣ୍ଡେସନ । କିସର ଜିଲ୍ଲା ପ୍ରତିନିଧିଙ୍କ ଜରିଆରେ ଦିନେଶ୍ୱରଙ୍କ ବଡପୁଅ କୁଳେନ୍ଦ୍ର କିଟ୍ ଓ କିସ୍ ପ୍ରତିଷ୍ଠାତା ଡାକ୍ଟର ଅଚ୍ୟୁତ ସାମନ୍ତଙ୍କୁ ତାଙ୍କ ଦୁର୍ଦ୍ଦଶା ସଂପର୍କରେ ଜଣାଇଥିଲେ । ସେମାନଙ୍କ ଦୂରାବସ୍ଥା ସଂପର୍କରେ ଜାଣିବା ପରେ ଡ.ସାମନ୍ତ ତତ୍କ୍ଷଣାତ ୨୦ ହଜାର ଟଙ୍କା ଅର୍ଥ ରାଶି ରବିବାର କିସ୍ ପରିସରରେ କୁଳେନ୍ଦ୍ର ଓ ତାଙ୍କ ଭଉଣୀଙ୍କୁ ପ୍ରଦାନ କରିଥିଲେ ।

kiss କୁଳେନ୍ଦ୍ର ବର୍ତ୍ତମାନ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ତୃତୀୟବର୍ଷ ବିଜ୍ଞାନରେ ପଢୁଛନ୍ତି । ତାଙ୍କ ତଳ ଭାଇ କୃଜା ପରିବାର ଆର୍ଥୀକ ଦୂରବସ୍ଥା ଦେଖି ଦୀର୍ଘ ଦିନ ଧରି କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଛନ୍ତି । ଡ.ସାମନ୍ତ ଆଜି ନଗଦ ଅର୍ଥରାଶି ଯୋଜାଇ ଦେବା ସହ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ମାସିକ ୫ ହଜାର ଟଙ୍କା ପ୍ରଦାନ ଏବଂ କୁଳେନ୍ଦ୍ରଙ୍କ ସାନଭାଇ ଫିଲିପିୟ ଓ ଦୁଇ ଭଉଣୀଙ୍କୁ କିସରେ ନାମ ଲେଖାଇ ଶିକ୍ଷାଦାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କୁଳେନ୍ଦ୍ରଙ୍କୁ ତାଙ୍କ +୩ ଶିକ୍ଷା ସମାପ୍ତ ପରେ କିସରେ ନିଯୁକ୍ତି ଦିଆଯିବା ସହ କେରଳରେ ଦାଦନ ଖଟୁଥିବା କୃଜାଙ୍କୁ ଦାଦନରୁ ଫେରାଇଆଣିବା ପାଇଁ ଡ.ସାମନ୍ତ ପରାମର୍ଶ ଦେଇଛନ୍ତି । କୃଜାଙ୍କ ମଧ୍ୟ କିସ୍ ଜରିଆରେ ରୋଜଗାର ବ୍ୟବସ୍ଥା କରାଇ ଦିଆଯିବ ବୋଲି ଡ.ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ କୁଳେନ୍ଦ୍ର ଓ ଅନ୍ୟ ଭାଇଭଉଣୀ କିସ୍ ଫାଉଣ୍ଡେସନ ନିଟରେ ଋଣି ରହିବା ସହ ପ୍ରତିଷ୍ଠାତା ଡ.ସାମନ୍ତ ତଥା କିସ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି ।