କିଟ୍ ଘଟଣାକୁ ନେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଅପପ୍ରଚାର, କିସ୍ ଅଭିଭାବକ ସଂଘ ଓ ଓଡ଼ିଶା ଆଦିବାସୀ ମହାସଂଘର ୩୦ଟି ଜିଲ୍ଲାରେ ଆନ୍ଦୋଳନ ଧମକ

ଭୁବନେଶ୍ୱର : କିଟ୍ ଘଟଣାକୁ ନେଇ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଅପପ୍ରଚାର କରାଯାଇ ବଦନାମ କରାଯାଉଥିବାରୁ ଏହାର ବିରୋଧ କରିଛନ୍ତି କିସ୍ ଅଭିଭାବକ ସଂଘ ଓ ଓଡ଼ିଶା ଆଦିବାସୀ ମହାସଂଘ । ଗଣମାଧ୍ୟମରେ କ୍ରମାଗତ ଅପପ୍ରଚାର କରାଯାଉଥିବାରୁ ଏଥିରେ ମର୍ମାହତ ହୋଇ କିସରେ ବିଭିନ୍ନ ଜିଲ୍ଲାରୁ ହଜାରେରୁ ଅଧିକ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକ ସଂଘ ପ୍ରତିନିଧି ଓ ଆଦିବାସୀ ମହାସଂଘ କର୍ମକର୍ତ୍ତା ଏକାଠି ହୋଇଥିଲେ।

କିଟରେ ଗତ ୧୬ ତାରିଖରେ ଘଟିଥିବା ମୂଳ ଘଟଣାକୁ ଛାଡି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଚଲାଇଥିବା ଅପପ୍ରଚାରରେ କ୍ଷୋଭ ପ୍ରକାଶ କରିବା ସହ ଘୋର ନିନ୍ଦା କରିଥିଲେ। ସେମାନେ ଏହାର ତୀବ୍ର ପ୍ରତିବାଦ କରିବା ସହ ଓଡ଼ିଶାର ୩୦ଟି ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସେମାନଙ୍କୁ ସାନ୍ତ୍ବନା ଦେବା ପରେ ଆଗାମୀ ୧୦ଦିନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖୁଛୁ ବୋଲି କହିଛନ୍ତି ଅଭିଭାବକ ସଂଘର କର୍ମକର୍ତ୍ତା। ଅନ୍ୟପଟେ କିସ୍ ଓ ଜନଜାତିଙ୍କ ସୁରକ୍ଷା ନେଇ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।