କିସ୍ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର : କିସ୍ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ଏହି ଅବସରରେ କିସ୍ ବିଶ୍ଵବିଦ୍ୟାଳୟର ୧୦ ହଜାର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମହମବତୀ ଜାଳି ନିରବ ପ୍ରାର୍ଥନା କରିଥିଲେ। ଛାତ୍ରଛାତ୍ରୀମାନେ ଆତଙ୍କବାଦୀ ଆକ୍ରମଣରେ ନିହତ ବ୍ଯକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।
ଏଥିରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କିସ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ କିସ୍ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ସାମନ୍ତ ଆତଙ୍କବାଦୀଙ୍କ ଏହି ବର୍ବର ଓ ଅମାନବିକ କାର୍ଯ୍ୟର ଦୃଢ ନିନ୍ଦା କରିବା ସହ ମୃତକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ । କିସ୍ ବିଶ୍ଵବିଦ୍ୟାଳୟର ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀମାନେ ନିଜ ନିଜ ଘରକୁ ଚାଲିଯିବା ପୂର୍ବରୁ ଆଜି ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।
ସେହିପରି କିଟ୍ ବିଶ୍ୱବିଦ୍ୟାଳୟରେ ବି ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସରନଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍ ବିଶ୍ୱବିଦ୍ୟାଳୟର ୨ ହଜାର ଫାକଲଟି ୨ ମିନିଟ ନୀରବ ପ୍ରାର୍ଥନା କରି ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।