ଭୁବନେଶ୍ୱର : କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସେସ୍(କିସ୍) ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଜାତୀୟ ସଙ୍ଗୀତ ଗାନରେ କିସ୍ ବିଶ୍ୱ ରେକର୍ଡ଼ କରିଛି । କିସ୍ର ୧୪ ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସମୂହ ଜାତୀୟ ସଙ୍ଗୀତ ଗାନ ବିଶ୍ୱ ଗିନିଜ୍ ବୁକ୍ ରେ ସ୍ଥାନ ପାଇଛି । ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ କର୍ତ୍ତୃପକ୍ଷ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି ।
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍ ତଥା ତିନି ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ଲଣ୍ଡନର ଫିଲାହାରମୋନିକ୍ ଅର୍କେଷ୍ଟ୍ରାର ମିଳିତ ସହଯୋଗରେ ଏହି ସମୂହ ଜାତୀୟ ସଙ୍ଗୀତ ଗାନକୁ ରେକର୍ଡ କରାଯାଇଛି ।
ଏଥିରେ ପ୍ରଖ୍ୟାତ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆ, ବିଶିଷ୍ଟ ସରୋଦ ବାଦକ ଅମନ୍ ଓ ଆୟାନ ଅଲ୍ଲୀ ଖାନ୍, ବିଶିଷ୍ଟି ସନ୍ତୁର ବାଦକ ରାହୁଳ ଶର୍ମାଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ତଥା ସୁନାମଧନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ବାଦ୍ୟଯନ୍ତ୍ର ପରିବେଷଣ କରିଛନ୍ତି । ଆସନ୍ତା ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅଗଷ୍ଟ ୧୪ତାରିଖରେ ଏହା ଆନୁଷ୍ଠାନିକ ଭାବେ ରିଲିଜ୍ ହେବ । କିସ୍ର ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଏହା କେବଳ କିସ୍ ନୁହେଁ ଓଡ଼ିଶା ତଥା ଭାରତ ପାଇଁ ସମ୍ମାନର ବିଷୟ ।