ଏପିଜେ ଅବଦୁଲ କଲାମ ଇଗନାଇଟ ପୁରସ୍କାର ପାଇବା ପାଇଁ ମନୋନୀତ କିସ୍ ଛାତ୍ର
ଭୁବନେଶ୍ବର (କେନ୍ଯୁଜ୍) : କିସ୍ ଛାତ୍ର ଦାସମାତ ମୁର୍ମୁ ଚଳିତବର୍ଷର ଏପିଜେ ଅବଦୁଲ କଲାମ ଇଗନାଇଟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ନବମ ଶ୍ରେଣୀରେ ପଢୁଥିବା ଦାସମାତଙ୍କ ଘର ମୟୁରଭଞ୍ଜ ଜିଲ୍ଲା ମାରକାନ୍ଦରା ଗାଁରେ । ସମଗ୍ର ଦେଶରୁ ୯୦ ହଜାର ପ୍ରକଳ୍ପ ମଧ୍ୟରୁ ମାତ୍ର ୩୧ଟି ପ୍ରକଳ୍ପ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି ।
ସେଥିମଧ୍ୟରୁ ଦାସମାତଙ୍କ ପ୍ରକଳ୍ପ ୧୫ତମ ସ୍ଥାନରେ ରହିଛି । ତାଙ୍କ ପ୍ରକଳ୍ପଟି ହେଉଛି Door Bell Triggered Vibration in pillow । ଅର୍ଥାତ ଘରର ବେଲ୍ ମାରିଲେ ଶୋଇଥିବା ଅବସ୍ଥାରେ ତକିଆରେ କିମ୍ବା ଛାତ ଉପରେ ଥିବା ସମୟରେ ହାତରେ ଏହି ଭାଇବ୍ରେସନ ଗ୍ୟାଜେଟକୁ ରଖିବା ସମ୍ଭବ ହୋଇପାରିବ । ଫଳରେ ଶୋଇପଡିଥିଲେ କିମ୍ବା ଛାତ ଉପରେ କିଛି କାମ କରୁଥିଲେ ମଧ୍ୟ କେହି କଲିଂ ବେଲ ଚିପିଲେ ଜାଣିହେବ । ଦାସମାତଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ମାଆ ଖଲିପତ୍ର ପ୍ରସ୍ତୁତ କରି ବଜାରରେ ବିକ୍ରି କରି ପରିବାର ଚଳାଉଛନ୍ତି ।
ଭୋକରେ ଦିନ ଦିନ ଧରି ରହୁଥିବା ଦାସମାତ ଦାରିଦ୍ର୍ୟ ଯୋଗୁଁ ଶିକ୍ଷାର ସୁଯୋଗ ପାଇପାରିନଥିବା ପ୍ରକାଶ କରିଛନ୍ତି । ତେବେ ଜନୈକ ସଂପର୍କୀୟଙ୍କ ସହଯୋଗରେ ସେ କିସରେ ନାମ ଲେଖାଇବା ପରେ ଶିକ୍ଷାର ମହତ୍ୱ ବୁଝିପାରିଥିଲେ । କିସ୍ ଓ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଠପଢାକୁ ଗୁରୁତ୍ୱ ଦେଇ ଆସୁଛନ୍ତି । କିସରେ ନାମ ଲେଖାଇବା ପରେ ଦାସମାତଙ୍କ ସୃଜନଶୀଳତାର ପରିପ୍ରକାଶ ହୋଇଥିଲା । ଶ୍ରେଣୀ ଶିକ୍ଷକ ଓ ଗାଇଡ଼ଙ୍କ ଉପଯୁକ୍ତ ତତ୍ୱାବଧାନରେ ସେ ଏଭଳି ଅଭିନବ ସୃଜନଶୀଳ ପ୍ରକଳ୍ପ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ।
ଦାସମାତଙ୍କ ଏହି ସଫଳତାରେ ଡକ୍ଟର ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଡକ୍ଟର ସାମନ୍ତ କହିଛନ୍ତି, କିସ୍ର ଉତ୍ତମ ଶୈକ୍ଷିକ ପରିବେଶ ଓ ଶିକ୍ଷକ ଶିକ୍ଷୟfତ୍ରୀଙ୍କ ଉପଯୁକ୍ତ ମାର୍ଗଦର୍ଶନ ଦାସମାତ ଭଳି ବହୁ ଛାତ୍ରଛାତ୍ରୀଙ୍କୁ ସଫଳତା ଆଣିଦେବାରେ ସହାୟକ ହୋଇଛି । ସେହିପରି କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ସ୍ନେହରାକ୍ଷୀ ଆପଟ୍ ମଧ୍ୟଏପିଜେ ଅବଦୁଲ କଲାମ ଇଗ୍ନାଇଟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ସ୍ୱୟଂ ଚାଳିତ ଶିଉଳି ସଫା ଯନ୍ତ୍ର ପ୍ରକଳ୍ପ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।