୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିବାର ମିଳିଲା ଫଳ, କିଟକୁ ମିଳିବ ପୁରସ୍କାର

ଭୁବନେଶ୍ୱର(କେନ୍ୟୁଜ୍): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ‘କର୍ପରେଟ୍‍ ସୋସିଆଲ୍‍ ରେସ୍‍ପନ୍‍ସିବିଲିଟି ଜରିଆରେ କ୍ରୀଡ଼ାକୁ ପ୍ରୋତ୍ସାହନ’ ବିଭାଗରେ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଁ କିଟ୍‍ର ନାମ ଘୋଷଣା କରାଯାଇଛି । ସୋମବାର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ବିଷୟରେ ଘୋଷଣା କରାଯାଇଥିବା ବେଳେ ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା କର୍ପୋରେଟ୍‍, ବିଭିନ୍ନ ସ୍ପୋର୍ଟସ କଣ୍ଟ୍ରୋଲ୍‍ ବୋର୍ଡ, ଏନ୍‍ଜିଓଙ୍କ ସମେତ ରାଜ୍ୟ ଓ ଜାତୀୟସ୍ତରରେ ଥିବା କ୍ରୀଡ଼ା ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କିଟ୍‍ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଛି । ଅତ୍ୟାଧୁନିକ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭ କରି ଅଲିମ୍ପିଆନ୍‍ ସୃଷ୍ଟି କରି କିଟ୍‍ ସମଗ୍ର ବିଶ୍ୱରେ ନାଁ କମେଇ ପାରିଛି । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ନିମନ୍ତେ କିଟ୍‍ର ନାମ ଘୋଷଣା କରିଥିବାରୁ କିଟ୍‍ର ସମସ୍ତ ଖେଳାଳି ଆନନ୍ଦ ପ୍ରକାଶ କରିଛନ୍ତି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଥି ପାଇଁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହା କିଟ୍‍ ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.