ଜାଣନ୍ତୁ ୧୮୬୩ ମସିହାରେ ସ୍ଥାପିତ ହୋଇଥିବା ଓଡ଼ିଶାର ଏଇ ଫାଶୀ ଘର ବିଷୟରେ

ନାବାଳିକାଙ୍କୁ ଦୁଷ୍କର୍ମ କଲେ ମିଳିବ ଫାଶୀ ଦଣ୍ଡ। ନୂଆ ପୋକ୍‌ସୋ ଆଇନ୍‌ ଏବେ କୋମଳମତି ନାବାଳିକାଙ୍କ ପାଇଁ ପାଲଟିଛି ସୁରକ୍ଷା କବଚ। ଏବେ ଓଡିଶାର ବିଭିନ୍ନ ସ୍ଥାନରେ ୪ ଜଣ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବା ପରେ ଚର୍ଚ୍ଚାର ପରିସରକୁ ଆସିଛି ବ୍ରହ୍ମପୁର ଫାଶୀ ଘର। କାରଣ ଓଡ଼ିଶାରେ ଫାଶୀ ଦେବା ପାଇଁ କେବଳ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛି ଫାଶୀ ଘର।

୧୮୬୩ରେ ସ୍ଥାପନ ହୋଇଥିଲା ବ୍ରହ୍ମପୁର ମଣ୍ଡଳ କାରାଗାର। ସେବେଠାରୁ କାରାଗାର ପରିସରରେ ରହିଛି ଏ ଫାଶୀ ଘର। ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କଠୁ ଆରମ୍ଭ କରି ଦୁଷ୍କର୍ମକାରୀ ଲକ୍ଷ୍ମଣ ନାୟକକୁ ଏଠାରେ ଦିଆଯାଇଛି ଫାଶୀ। ୧୯୪୩ ମାର୍ଚ୍ଚ ୨୪। କୋରାପୁଟର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ଏହି ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ ଇଂରେଜ। ସେହି ସ୍ମୃତିକୁ ବହନ କରୁଛି ଏହି ଫାଶୀ ଘର। ସ୍ୱାଧୀନତା ପରେ ହତ୍ୟା ମାମଲାରେ ଦଣ୍ଡିତ ଧାନମାଥ ଗୁରୁ ୧୯୫୮ ଜୁଲାଇ ୮ରେ ଏଠାରେ ପାଇଥିଲେ ଫାଶୀ। ଏହାପରେ ୨ ମାର୍ଚ୍ଚ ୧୯୬୩ରେ ଅର୍ଜୁନେନ୍‌ ଓରଫ୍‌ ପୋଲକା ଡ଼ମ୍ବ, ୧୯୬୮ ମେ’ ୧୯ରେ ମାଡକାମୀ ମାଲ୍ଲା ଓ ୩ ଅଗଷ୍ଟ ୧୯୭୧ରେ ରାଘବ ନାୟକକୁ ଦିଆଯାଇଥିଲା ଫାଶୀ। ଏହି ଫାଶୀ ଖୁଣ୍ଟରେ ଶେଷରେ ଝୁଲିଥିଲା ମୟୂରଭଞ୍ଜ ଜିଲ୍ଲା ଟାଙ୍ଗୋରଜୋଡା ଗାଁର ଲକ୍ଷ୍ମଣ ନାୟକ। ନିଜ ଝିଆରୀକୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ୧୬ ଜୁଲାଇ ୧୯୯୪ରେ ଲକ୍ଷ୍ମଣକୁ ଝୁଲାଇ ଦିଆଯାଇଥିଲା ଏହି ଫାଶୀଖୁଣ୍ଟରେ। ସେଦିନର ଏ ଘଟଣାକୁ ଏବେ ବି ଉଜ୍ଜିବିତ କରି ରଖିଛନ୍ତି କାରାଗାରର କିଛି କର୍ମଚାରୀ।

ଗତ ୨ ମାସ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ମିଳିଛି ଫାଶୀ ଦଣ୍ଡ । କିନ୍ତୁ ଆଇନଗତ ଲଢେଇ ସରି ନାହିଁ। ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦୁଇ ଜଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ। କିନ୍ତୁ ପରେ ଆଜୀବନ କାରାଦଣ୍ଡରେ ପରିଣତ ହୋଇଥିଲା। ଉଭୟ ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜ୍ଜା କାଟୁଛନ୍ତି। ସେହିପରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୨୦୦୪ରେ ଫାଶୀ ଦଣ୍ଡାଦେଶ ପାଇ ବ୍ରହ୍ମପୁର ମଣ୍ଡଳ କାରାଗାର ଆସିଥିଲା ପୁରୀର କିରଣ କୁମାର। ତାଙ୍କର ବି ଫାଶୀ ଦଣ୍ଡାଦେଶ ମଧ୍ୟ ଆଜୀବନ କାରାଦଣ୍ଡରେ ପରିଣତ ହୋଇଯାଇଥିଲା।

ବିକୃତ ମାନସିକତା ହେଉ ଅବା ଅନ୍ୟ ଯେକୌଣସି କାରଣ । ସାରା ଦେଶରେ ଏକ ବ୍ୟାଧି ପରି ମାଡି ଚାଲିଛି ଦୁଷ୍କର୍ମ ମାମଲା । ଏପରି ଯୌନପିଶାଚ କାମାନ୍ଧଙ୍କ ନଜରରୁ ବାଦ୍‌ ପଡୁ ନାହାନ୍ତି ଶିଶୁଙ୍କ ସହ ନାବାଳିକା । ସାଲେପୁରର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସୈତାନ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଚିଲଡ୍ରେନ୍ସ କୋର୍ଟ ପ୍ରିଜାଇଡିଂ ଅଫିସର୍‌ ବନ୍ଦନା କର ।

ବ୍ରହ୍ମପୁରରୁ ପ୍ରକାଶ ପଟ୍ଟନାୟକ, କେ ନ୍ୟୁଜ୍‌ ଓଡ଼ିଶା