ଆଉ ଶୁଭିବନି ‘‘ସରିନାହିଁ ରାଜନୀତି ହାରିନାହିଁ ମହାରଥୀ’’, ଏସ୍‌ସିଏସ୍‌ କଲେଜ ଛାତ୍ର ସଂସଦ ସଭାପତିରୁ ଆରମ୍ଭ ହୋଇଥିଲା ମହାରଥୀଙ୍କ ରଜନୈତିକ ଜୀବନ ଯାତ୍ରା

କେନ୍ୟୁଜ୍(ବ୍ୟୁରୋ):  ୧୯୫୫ ମସିହା ଜୁଲାଇ ୪ ତାରିଖରେ ପିପିଲିରେ ଜନ୍ମଗ୍ରହଣ କରିଥିଲେ ମହାରଥୀ । ଅଶି ଦଶକରୁ ଛାତ ରାଜନୀତିରେ ପାଦ ଥାପିଥିଲେ । ପୁରୀ ଏସ୍‌ସିଏସ୍‌ କଲେଜରେ ପଢୁଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ଯୋଗୁ ଲାଗୁ ହୋଇଥିବା ମିଶା ଆଇନ ବଳରେ ଗିରଫ ହୋଇଥିଲେ । ଏସ୍‌ସିଏସ୍‌ କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେହିଠାରୁ ମହାରଥୀଙ୍କ ରାଜନୈତିକ କ୍ୟାରିୟରର ମୂଳଦୂଆ ପଡିଥିଲା । ମହାରଥୀ ବିଜୁବାବୁଙ୍କର ଅତି ପ୍ରିୟ ହୋଇଯାଇଥିଲେ । ୧୯୮୫ ମସିହାରେ ବିଜୁବାବୁ ତାଙ୍କୁ ପିପିଲି ବିଧାନସଭା ଆସନରୁ ଟିକେଟ ଦେଇଥିଲେ ।

ପ୍ରଥମ ନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିବା ମହାରଥୀ ୧୯୯୦ ନିର୍ବାଚନରେ ଦ୍ୱିତୀୟ ଥର ଜିତିଥିଲେ । ୧୯୯୫ ନିର୍ବାଚନରେ ମହାରଥୀ ହାରି ଯାଇଥିଲେ ମଧ୍ୟ ତାପରଠାରୁ ଲଗାତର ୫ ଥର ଜିତି ଆସିଛନ୍ତି । ପିପିଲିରୁ ୭ ଥର ବିଧାୟକ ହୋଇଥିଲେ ମହାରଥୀ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଥର ପଞ୍ଚାୟତିରାଜ, କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ମହାରଥୀ । ଜଶେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ଥିଲା ।

ଅପେରା ଜଗତ ସହ ମଧ୍ୟ ସଂପୃକ୍ତ ହୋଇ ନିଜେ ଏକ ଅପେରା ପାର୍ଟି ଗଢିଥିଲେ । ମହାରଥୀଙ୍କ ଚେହେରା ଓ ଭାଷା ଗମ୍ଭୀର ଥିଲେ ମଧ୍ୟ ତାଙ୍କର ହୃଦୟ ଥିଲା ଅତ୍ୟନ୍ତ କୋମଳ । ଉପକାରୀ ଓ ସ୍ନେହି ମଣିଷ ଥିଲେ ସେ । କଥାର ଚାତୁରୀରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ । ବିଧାନସଭାରେ ତାଙ୍କର ଭାଷଣ ଶୁଣିବାକୁ ସମସ୍ତଙ୍କ ଉତ୍କଣ୍ଠା ରହୁଥିଲା । ଅତ୍ୟନ୍ତ ସ୍ପଷ୍ଟ ଭାବେ ନିଜ ମତ ରଖୁଥିଲେ । ବିଭିନ୍ନ ପ୍ରସଙ୍ଗରେ ଗୃହର ସଦସ୍ୟ ଓ ସାମ୍ବାଦିକମାନଙ୍କୁ ହସାଇ ହସାଇ ବେଦମ୍‌ କରୁଥିଲେ । ଗୃହରେ ମହାରଥୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ବାରି ହୋଇଯାଉଥିଲା ।