ଆଜି କଟକ ବାରବାଟୀକୁ ଯାଉଛନ୍ତି କି ଉଦ୍ଘାଟନୀ ଉତ୍ସବ ଦେଖିବା ପାଇଁ ? ଏଠାରେ କରନ୍ତୁ ଗାଡି ପାର୍କିଂ

କଟକ (କେନ୍ୟୁଜ): କଟକ ବାରବାଟୀ ଷ୍ଟାଡିୟମରେ ଆଜି ହକି ଉଦଘାଟନୀ ଉତ୍ସବ ପାଇଁ ହୋଇଛି ବ୍ୟାପକ ଆୟୋଜନ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରୁଷ ହକି ବିଶ୍ବକପ୍ ଶୁଭାରମ୍ଭ ଉତ୍ସବକୁ ଦେଖିବ ସାରା ବିଶ୍ଵ । ଏଥିରେ ବଲିଉଡ୍ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି। ଭିଡକୁ ଦେଖି ବ୍ୟାପକ ପ୍ରସ୍ତୁତି କରାଯାଇଛି। ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
ଏଥିସହ ବାରବାଟୀକୁ ଆସିବେ ପ୍ରାୟ ୪୫ ହଜାର କ୍ରୀଡ଼ା ପ୍ରେମୀ ଓ ଅତିଥି। ଷ୍ଟାଡିୟମ ଭିତରେ ଓ ବାହାରେ ଭିଡ଼ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ। ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସହରରେ ମୁତୟନ ରହିବେ ୫୦ ପ୍ଲାଟୁନ ଫୋର୍ସ। ୨୫୦ରୁ ଅଧିକ ପୋଲିସ ଅଧିକାରୀ ପରିଚାଳନା ଦାୟିତ୍ୱରେ ରହିବେ। ଉଦ୍ଘାଟନୀ ମହୋତ୍ସବ ପାଇଁ ଥିବା ଟିକେଟ୍ ଓ ପାସ୍ରେ, ପାର୍କିଂ ନେଇ ସବିଶେଷ ତଥ୍ୟ ରହିଛି। ମୁଖ୍ୟ ପାର୍କିଂ ସ୍ଥାନ ରହିଛି ତଳ ବାଲିଯାତ୍ରା ପଡିଆ। ଦର୍ଶକ ତଳ ବାଲିଯାତ୍ରା ପଡିଆରେ ଗାଡି ପାର୍କିଂ କରିବା ପରେ ଷ୍ଟାଡିୟମକୁ ଯିବେ।
ଯେଉଁ ଭିଆଇପିଙ୍କ ଗେଟ୍ ନମ୍ବର ୨ର ପାସ୍ ରହିଛି ସେମାନେ, ଓହ୍ଲାଇବା ପରେ ଗାଡି ତଳ ବାଲିଯାତ୍ରା ପଡିଆର ଗଡ଼ଗଡ଼ିଆ ମନ୍ଦିର ସମ୍ମୁଖ, ଖ୍ରୀଷ୍ଟିଆନ୍ ପଡ଼ିଆ ଓ ଦୟାଶ୍ରମ ପଡ଼ିଆରେ ଗାଡି ପାର୍କିଂ ହେବ। ଯେଉଁ ଭିଆଇପିଙ୍କ ଗେଟ୍ ନମ୍ବର ୧୪ର ପାସ୍ ରହିଛି, ସେମାନେ ଓହ୍ଲାଇବା ପରେ ସେମାନଙ୍କ ଗାଡ଼ି ସେଣ୍ଟ ଜାଭିଅର ସ୍କୁଲ ଓ ଓସିଏ ଲନ୍ରେ ପାର୍କିଂ ହେବ। ଆସିବାକୁ ଥିବା କଳାକାରମାନଙ୍କ ଗାଡ଼ି ଓସିଏ କ୍ଲବ୍ ହାଉସ ଗ୍ରାଉଣ୍ଡ, ଉପର ବାଲିଯାତ୍ରା ପଡିଆ ଓ ବାସ୍କେଟ୍ ବଲ୍ ପଡିଆରେ ପାର୍କିଂ ହେବ। ଗଣମାଧ୍ୟମ ପ୍ରତିନିଧି କ୍ୟାମ୍ବ୍ରିଜ୍ ସ୍କୁଲରେ ପାର୍କିଂ କରିବେ।
ହାଓଡା ମୋଟର ଛକ ଓ ମସ୍ଥାନ ଦର୍ଘା ଦେଇ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଗାଡି ଗ୍ରୀନର ହୋଟେଲରୁ ଡାହାଣକୁ ଯାଇ ରିଂ ରୋଡ ଦେଇ ତଳ ବାଲିଯାତ୍ରା ପଡିଆରେ ଗାଡି ପାର୍କ କରିପାରିବେ। ଆକାଶବାଣୀ କେନ୍ଦ୍ର ଦେଇ କୌଣସି ଗାଡି ଆସିପାରିବନି। କାର ପାସ୍ ଥିବା ଗାଡିଗୁଡିକ ବାଉଁଶ ଡିପୋ ଦେଇ ବାରବାଟୀ ଅଭିମୁଖେ ଯିବ। କୌଣସି ଗାଡିକୁ ମୁଖ୍ୟ ବିଚାରପରିଙ୍କ ଘର ସମ୍ମୁଖ, ସିଡିଏମଓ ଅଫିସ ଏବଂ ମଧୁସୂଦନ ପ୍ରତିମୂର୍ତ୍ତି ରାସ୍ତା ଦେଇ ବାରବାଟୀ ଷ୍ଟାଡିଯମକୁ ଛଡାଯିବ ନାହିଁ।
ଫାୟାର ଅଫିସ ଛକ ଦେଇ କୌଣସି ଗାଡି ବାରବାଟୀକୁ ଯାଇପାରିବ ନାହିଁ। ଷ୍ଟୁଆର୍ଟ ସ୍କୁଲ ରାସ୍ତା ଦେଇ କୌଣସି ଗାଡିକୁ ବାରବାଟୀ ଷ୍ଟାଡିୟମକୁ ଛଡାଯିବ ନାହିଁ । ଏହି ରାସ୍ତା ଦେଇ ଯିବାକୁ ଥିବା ଗାଡିଗୁଡିକ କଳାବିକାଶ କେନ୍ଦ୍ର ରାସ୍ତା ଦେଇ ଯାଇପାରିବେ। ଚଣ୍ଡିଛକ ରାସ୍ତା ଦେଇ ଆସୁଥିବା ଗାଡିକୁ ବାରବାଟୀ ରାସ୍ତା ଦେଇ ଯିବାକୁ ଅନୁମତି ନାହିଁ। ଆନନ୍ଦଭବନରୁ ଇଣ୍ଡୋର ଷ୍ଟାଡିମୟ ଦେଇ ଉପର ବାଲିଯଆତ୍ରା ପଡ଼ିଆକୁ ଯାଇ ହେବ ନାହିଁ। କଟକ କ୍ଲବ୍ ପାସ ଥିଲେ କିମ୍ବା ସ୍ଥାନୀୟ ବାସିନ୍ଦା ଇଣ୍ଡୋର ଷ୍ଟାଡିୟମ ଦେଇ ଗଡ଼ଚଣ୍ଡି ମନ୍ଦିର ଯାଏ ଯାଇ ପାରିବେ। କନ୍ଭେଣ୍ଟ ସ୍କୁଲ, ପିଏଚ୍ଡି ଛକ ଓ ଦୟାଶ୍ରମ ଛକରୁ ବାରବାଟୀକୁ ଛଡା ଯିବ ନାହିଁ ।
ଦର୍ଶକ ଅପରାହ୍ନ ୨ଟାରୁ ଷ୍ଟାଡିୟମ ଭିତରେ ପ୍ରବେଶ କରିପାରିବେ। ଅପରାହ୍ନ ୩ଟାରୁ ଆରମ୍ଭ ହେବ ଉଦ୍ଘାଟନୀ ମହୋତ୍ସବ। ଷ୍ଟାଡିୟମ ଭିତରକୁ କୌଣସି ଖାଦ୍ୟ ପଦାର୍ଥ କିମ୍ବା ପାଣି ବୋତଲ ନେବା ମନା।