ପାଠ ପଢିବ କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା, ସ୍କୁଲ ଯିବା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ମାଆ

କନ୍ଧମାଳ (କେନ୍ୟୁଜ): ବୟସ ୯ ବର୍ଷ ହେଲାଣି । ତଥାପି ସ୍କୁଲ ଯାଇନି ଜଗା । ତେଣୁ ବାପା ମାଆ ଚିନ୍ତାରେ । କେମିତି ପାଠ ପଢାଇବୁ ପୁଅକୁ ? କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କ କଥା ଆପଣମାନେ ଭୁଲି ନଥିବେ ନିଶ୍ଚୟ । ଯାହାଙ୍କୁ ନେଇ କେବଳ ରାଜ୍ୟ ନୁହେଁ, ଦେଶରେ ମଧ୍ୟ ଚର୍ଚ୍ଚା ଉଠିଥିଲା । ଯଦିଓ ଯୋଡ଼ା ମୁଣ୍ଡ ଅପରେସନ୍‌ ପରେ କାଳିଆ ଆରପାରିକୁ ଚାଲି ଯାଇଛି ତେବେ ଜଗା ଏବେ ସୁସ୍ଥ ଅଛି । ଖେଳୁଛି, ବୁଲୁଛି, ବାପା ସାଙ୍ଗରେ ସକାଳେ ମର୍ଣ୍ଣିଂଓ୍ଵାକ ବି କରୁଛି । କେବଳ ପାଠ ପଢା ଆରମ୍ଭ କରି ପାରିନି ।

କାରଣ ଜିଲ୍ଲା ପ୍ରଶାସନ ଜଗାକୁ ୨୦୨୧ମାର୍ଚ୍ଚ ୨୩ରୁ କଟକ ବଡ ମେଡିକାଲରୁ ଫୁଲବାଣୀ ହସପିଟାଲକୁ ସ୍ଥାନାନ୍ତର କରିଥିଲା । ଏଠାକାର ଶିଶୁ ବିଭାଗରେ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖିଥିଲା । ତାର ଦ୍ୱିତୀୟ ଅସ୍ତ୍ରୋପଚାର ଦିଲ୍ଲୀ aims ପକ୍ଷରୁ କରାଯିବା ପର୍ଯ୍ୟନ୍ତ ଏହି କ୍ୟାବିନ ହିଁ ଜଗାର ଘର ପାଲଟିଛି । ତେଣୁ ଜଗାର ଅନ୍ୟ ପିଲାଙ୍କ ଭଳି ପାଠ ପଢ଼ିବାର ଆଗ୍ରହ ଥିଲେ ମଧ୍ୟ ବାପା ମା କୌଣସି ସ୍କୁଲରେ ତାର ନାମ ଲେଖେଇ ପାରୁ ନାହାନ୍ତି ।

ଏପଟେ ପ୍ରଶାସନ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ସମ୍ପର୍କରେ ଆଗ୍ରହ ପ୍ରକାଶ କରି ନାହାନ୍ତି । ଜଗାର ମା ଜିଲ୍ଲାପାଳଙ୍କୁ ଭେଟି ପୁଅର ପାଠ ପଢା କଥା କହିଥିଲେ । ଉତ୍ତରରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କୌଣସି ସ୍କୁଲ ପାଖରେ ଘର ଭଡା ନେଇ ଜଗାକୁ ରଖି ପାଠ ପଢାଅ । ଏପଟେ ବାହାରେ ରହି ଜଗାକୁ ପାଠ କିପରି ପଢ଼େଇବେ, ଏତେ ଟଙ୍କା କେଉଁଠୁ ଆଣିବେ ଚିନ୍ତାରେ ବାପା ମା ।..

ଜଗା ମାଆଙ୍କ କହିବା କଥା ପ୍ରଶାସନ ପକ୍ଷରୁ ପୂର୍ବରୁ ତାଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ଚଳିବା ପାଇଁ ଦିଆଯାଉଥିଲା । ଯାହା ତିନି ମାସ ହେଲା ବନ୍ଦ ରହିଛି । ଏପଟେ ସ୍ୱାମୀ ଭଡ଼ା ଅଟୋ ଚଳାଇ ଯାହା କିଛି ଆଣୁଛନ୍ତି ସେଥିରେ ପରିବାର ଚଳିବା ମୁସ୍କିଲ । ତେଣୁ ଜଗାର ପାଠ ପଢ଼ା ପାଇଁ ପ୍ରଶାସନ କିଛି ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି ।

You might also like