କଳା ଜିରା ଚାଉଳ ଧରି ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀମନ୍ଦିର ପହଁଚିଲେ ୨୦ ଜଣ ଚାଷୀ
ଏହି କଳା ଜିରା ଚାଉଳକୁ ମିଳିଛି ଜିଆଇ ଟ୍ୟାଗ । କୋରାପୁଟ ଜିଲ୍ଲାର ପ୍ରତି ବ୍ଲକରେ ଏବେ ଏହି କଳା ଜିରା ଚାଉଳ କରାଯାଉଛି । ଗୋଟିଏ ଏକର ଜମିରେ ପ୍ରାୟ ୭-୮ କୁଇଣ୍ଟାଲ ଚାଉଳ ହୋଇଥାଏ । ଏହି ଚାଉଳ ହେବା ପାଇଁ ୧୪୫ ଦିନ ସମୟ ଲାଗିଥାଏ।

ପୁରୀ (କେନ୍ୟୁଜ) : ଶ୍ରୀକ୍ଷେତ୍ର ସହ ଶାବର ଶ୍ରୀକ୍ଷେତ୍ରର ଘନିଷ୍ଠ ସଂପର୍କ ରହିଆସିଛି । ଆଜି ସେହି ସମ୍ପର୍କର ପ୍ରତୀକ ସ୍ୱରୂପ ପୁରୀରେ ପହଞ୍ଚିଛି ଜୈବିକ ମହାପ୍ରସାଦ ବା କଳା ଜିରା ଚାଉଳ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ୨୦ ଜଣ ଚାଷୀ ଏକ କୁଇଣ୍ଟାଲ କଳା ଜିରା ଚାଉଳ ଧରି ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚିବା ପରେ ସେଠାରୁ ଇ- ଅଟୋ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ଡୋନେଶନ ସେଲକୁ ଯାଇ କଳା ଜିରା ଚାଉଳ ଜିମା ଦେଇଛନ୍ତି। ଜୈବିକ ଶ୍ରୀ କୃଷକ ଉତ୍ପାଦକ ଲିମିଟେଡ କମ୍ପାନୀ ସହ ପଦ୍ମଶ୍ରୀ ସାବରମତୀ , ପ୍ରଗତି ନିର୍ଦ୍ଦେଶକ ପ୍ରଭାକର ଅଧିକାରୀଙ୍କ ନେତୃତ୍ବରେ ଉଭୟ ମହିଳା ଓ ପୁରୁଷ ଚାଷୀ ପାରମ୍ପରିକ ପୋଷାକ ପିନ୍ଧି ଶ୍ରଦ୍ଧା ଓ ଭକ୍ତିର ସହ ଏହି କଳା ଜିରା ଚାଉଳ ନେଇ ଆସିଛନ୍ତି ।
ନିକଟରେ କୋରାପୁଟରେ ଉତ୍ପାଦିତ ଏହି କଳା ଜିରା ଚାଉଳକୁ ମିଳିଛି ଜିଆଇ ଟ୍ୟାଗ । କୋରାପୁଟ ଜିଲ୍ଲାର ପ୍ରତି ବ୍ଲକରେ ଏବେ ଏହି କଳା ଜିରା ଚାଉଳ କରାଯାଉଛି । ଗୋଟିଏ ଏକର ଜମିରେ ପ୍ରାୟ ୭-୮ କୁଇଣ୍ଟାଲ ଚାଉଳ ହୋଇଥାଏ । ଏହି ଚାଉଳ ହେବା ପାଇଁ ୧୪୫ ଦିନ ସମୟ ଲାଗିଥାଏ।ଏହି ଚାଉଳ ବେଶ୍ ସ୍ଵାଦିଷ୍ଟ।କଳା ଜିରା ଚାଉଳରେ ଖେଚୁଡ଼ି ଓ ଖିରି ପ୍ରସ୍ତୁତ ହୋଇଥାଏ । ବର୍ତ୍ତମାନ ଏହି କଳା ଜିରା ଚାଉଳର ବଜାର ମୂଲ୍ୟ କେଜି ପିଛା ୧୨୦ ଟଙ୍କା ରହିଛି। କଳା ଜିରା ଚାଉଳକୁ ଜିଆଇ ଟ୍ୟାଗ୍ ମିଳିବା ପରେ ସେଠାକାର ଚାଷୀ ବେଶ୍ ଖୁସି ,ଶ୍ରଦ୍ଧା ଓ ଭକ୍ତିର ସହ ଏକ କୁଇଣ୍ଟାଲ ଚାଉଳ ଧରି ମହାପ୍ରଭୁଙ୍କ ପାଇଁ ଆଣି ଆସୁଛନ୍ତି ।
ପାହାଡିଆ ଅଞ୍ଚଳ କୋରାପୁଟରେ ଭୌଗଳିକ ପରିବେଶ ଓ ଜଳବାୟୁ ଏହି ଚାଷ ପାଇଁ ପ୍ରକୃଷ୍ଟ।କୋରାପୁଟ ପରି ଉପକୂଳବର୍ତୀ ଜିଲ୍ଲାରେ ମଧ୍ୟ ଏହି ଜୈବିକ କଳା ଜିରା ଚାଉଳ ଚାଷ କରାଯାଇପାରିବ ବୋଲି ଦୀର୍ଘ ବର୍ଷ ଧରି ଜୈବିକ ଚାଷ ଉପରେ କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ସାବରମତୀ କହିଛନ୍ତି।ଜୈବିକ ଶ୍ରୀ କୃଷକ ଉତ୍ପାଦକ ଲିମିଟେଡ କମ୍ପାନୀ କୋରାପୁଟରେ କଳା ଜିରା ଚାଉଳର ମାର୍କେଟିଂ ପାଇଁ ସହଯୋଗର ହାତ ବଢ଼ାଇଛି।ତେବେ ମହାପ୍ରଭୁଙ୍କ କୋଠଭୋଗରେ ଏହି କଳା ଜିରା ଚାଉଳର ବ୍ୟବହାର କରାଯାଇପାରିବ।