ନୂଆ ଢ଼ଙ୍ଗ ଏବଂ ନୂଆ ରୂପରେ କୋରାପୁଟିଆ ଦେଶିଆ ଗୀତ ଗାଇ ଏବେ ଚର୍ଚ୍ଚାରେ ଅକ୍ଷୟ, ଥରେ ନିଶ୍ଚୟ ଶୁଣନ୍ତୁ

କୋରାପୁଟିଆ ଦେଶିଆ ଗୀତ ଶୁଣିଲେ ଆପଣଙ୍କ ପାଦ ବି ଅଥୟ ହୋଇଯିବ । ଟିକେ ଝୁମିବାକୁ ମନ କରିବ । ଏଇ ଗୀତ ଏବେ ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି । ଗାୟକ ଜଣକ କେଔରସି ପେସାଦାର କଣ୍ଠଶିଳ୍ପୀ ନୁହନ୍ତି ହେଲେ ତାଙ୍କ ସ୍ୱରରରେ ରହିଛି ଭିନ୍ନ ଏକ ଯାଦୁ । ପେସାରେ ସେ ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ କିନ୍ତୁ ନିଶା ଗୀତ ଗାଇବା ଆଉ ଗୀତ ଲେଖିବା । କେରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଜ କଲମ ମୁନରେ ଉତାରି ଦିଅନ୍ତି ସେ । ଆଉ ତାକୁ ନିଜେ ସ୍ୱର ଦେଇ ପହଞ୍ଚାଉଛନ୍ତି ଲୋକଙ୍କ ପାଖରେ ।

ଏ ହେଉଛନ୍ତି କୋରାପୁଟ ଜିଲ୍ଲା ଅବହେଳିତ ଦଶମନ୍ତପୁର ବ୍ଲକର ଦଶମନ୍ତପୁର ଗାଁ । ସେହି ଗାଁର ହରିଜନ ସାହି ଯୁବକ ରବି ସେମର୍ଲିଆଙ୍କ ପୁଅ ଅକ୍ଷୟ ସେମାର୍ଲିଆ । କୋରାପୁଟିଆ ମାଟି ମା ଗୀତ ଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ। ଲକ୍ଷ୍ମୀପୁର କୋଡ଼ିଙ୍ଗା ମାଳିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ହେଲେ ଗୀତ ନିଶା ତାଙ୍କର ଏତେ ଯେ ସମୟ ପାଇଲେ ଏଇ ପ୍ରକୃତି କୋଳରେ ବସି ରଚନା କରନ୍ତି କବିତା ସବୁ । କୋରାପୁଟିଆ ଦେଶିଆ ଗୀତକୁ ନିଜେ ଲେଖି ନିଜେ ହିଁ ସ୍ୱର ଓ କଣ୍ଠ ଦାନ କରନ୍ତି । ଆଉ ତାଙ୍କର ଏହି ଗୀତ ସବୁ ଜିଣି ନେଉଛି ଶ୍ରୋତାଙ୍କ ମନ ।
ଏବେ ତାଙ୍କର ଗୀତ ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି। ଅକ୍ଷୟ ଚମତ୍କାର ଗୀତ ରଚନା କରି ତାକୁ ଯେତେବେଳେ ସଂଗୀତର ରୂପ ଦେଉଛନ୍ତି ତାହା ସମସ୍ତଙ୍କ ମନ ଜିଣି ନେଉଛି । କୋରାପୁଟ ଜିଲ୍ଲାର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରି ଗୀତ ଗାଇବା ସହ କେତେକ ସମ୍ବଲପୁରୀ ଗୀତ ମଧ୍ୟ ଜୟପୁର ଷ୍ଟୁଡ଼ିଓରେ ଗାଇଛନ୍ତି ।

ଅକ୍ଷୟ ଛୋଟ ବେଳୁ କଳା ପ୍ରତି ଆକୃଷ୍ଟ ଥିଲେ । ଧୀରେ ଧୀରେ ଗୀତ ତାଙ୍କୁ ଭଲ ଲାଗିଲା । ପଢ଼ା ସମୟରେ ସ୍କୁଲରେ ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଲେ । ତାଙ୍କ ଗୀତ ସମସ୍ତଙ୍କ ହୃଦୟ ଜିଣିଲା । ଆଉ ସେ ସମ୍ମାନିତ ଓ ପୁରରସ୍କୃତ ମଧ୍ୟ ହେଲେ । ତେବେ ବିନା ତାଲିମରେ ଏତିକି ପାରଙ୍ଗମ ସେ, ହେଲେ ତାଲିମ ନେବାକୁ ଆଗ୍ରହ ବି ରଖିଛନ୍ତି । ଜଣେ ଭଲ କଣ୍ଠଶିଳ୍ପୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇବା ହେଉଛି ତାଙ୍କର ଲକ୍ଷ୍ୟ । କିଏ ଜାଣେ ଉପଯୁକ୍ତ ସୁଯୋଗ ଓ ମଞ୍ଚ ପାଇଲେ ହୁଏତ ଓଡ଼ିଆ ସଂଗୀତ ଦୁନିଆ ପାଇଯାଇ ପାରେ ଆଉ ଜଣେ ଅକ୍ଷୟଙ୍କୁ !

Leave A Reply

Your email address will not be published.