କୁମାର ପୂର୍ଣ୍ଣିମାରେ ଏହି ଗାଁ ହୋଇଉଠେ ଉତ୍ସବ ମୁଖର: ଦେଖିବାକୁ ମିଳେ କୋଠି ପୂଜା ସହ ପାଳଭୂତର ଆକର୍ଷଣ

ଯାଜପୁର : କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଞ୍ଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୂଳେ ତିଆରି କରିଥାନ୍ତି କଇଁଫୁଲର କୋଠି । ଆଉ କୁମାର ପୂର୍ଣ୍ଣିମାର ଠିକ୍ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି ।

ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତି ଶହ ଶହ ଦର୍ଶକ । ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର । ଆଉ ବିଳମ୍ବିତ ରାତ୍ରୀରେ ଗାଁର ଯୁବକ ମାନେ ପାଳଭୂତ ବେଶରେ ଆସି କୁମାରୀମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ୟତମ ଆକର୍ଷଣ । ତେବେ ସହରୀ ସଭ୍ୟତା ମଧ୍ୟରେ ସବୁ କିଛି ହଜି ଯାଉଥିବା ବେଳେ କୁମାର ପୂର୍ଣ୍ଣିମା ଅବସରରେ ସଦାନନ୍ଦପୁର ଗାଁର କୁମାରୀମାନେ ବର୍ଷ ବର୍ଷର ପରମ୍ପରାକୁ ବଜାୟ ରଖିବା ବେଶ ପ୍ରଶଂସନୀୟ ।