ବଢିଲା କାଳିଆ ଯୋଜନା ପଞ୍ଜୀକରଣ ଅବଧି , ଜାନୁଆରୀ ୨୫ରୁ ଫେବୃଆରୀ ୫ତାରିଖ ପର୍ୟ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍) : ବଢିଲା କାଳିଆ ଯୋଜନା ପଞ୍ଜୀକରଣ ଅବଧି । ଦ୍ୱିତୀୟ ପର୍ୟ୍ୟାୟ ପଞ୍ଜୀକରଣ ତାରିଖ ଜାନୁଆରୀ ୨୫ରୁ ଫେବୃଆରୀ ୫ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ଏକ ଭଲ ଯୋଜନା। ଏହି ଯୋଜନା ଚାଷୀଙ୍କ ପସନ୍ଦ ହୋଇଛି। ଏହାର ଲାଭ ସମସ୍ତ ଚାଷୀ ନେବା ଦରକାର। ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବ- କୃଷି ଓଡ଼ିଶାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ସାରା ଦେଶରେ କାଳିଆ ଯୋଜନା ଏକ ଆଦର୍ଶ ଯୋଜନା। ୮ ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ଓଡ଼ିଶା ଆଜି ସ୍ୱାବଲମ୍ବୀ ହୋଇପାରିଛି। କୃଷି କ୍ଷେତ୍ରରେ ରାଜ୍ୟକୁ ଆହୁରି ଆଗକୁ ନେବାକୁ ଆହ୍ଵାନ ଦେଇଛନ୍ତି ନବୀନ। କୃଷି ମହୋତ୍ସବରେ ସାମିଲ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ କୃଷକ । ଏଠାରେ ପ୍ରଦର୍ଶିତ କରାଯାଇଛି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷିଯନ୍ତ୍ରାଂଶ । କୃଷକଙ୍କ ପାଇଁ ରହିଛି ପାଠଶାଳା । ନୂଆକରି ଲାଗୁ ହୋଇଥିବା କାଳିଆ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯାଉଛି । ମହୋତ୍ସବରେ କୃଷି ପ୍ରଦର୍ଶନୀ, କୃଷକ ଓ ବୈଜ୍ଞାନିକ ଆଲୋଚନାଚକ୍ର, ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ୩୦ଜିଲ୍ଲାର ୧୨୦ ଚାଷୀଙ୍କୁ ପୁରସ୍କାର ମିଳିବ। ୧୯ ତାରିଖ ପର୍ୟ୍ୟନ୍ତ ଏହି ଉତ୍ସବ ଚାଲିବ ।