ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କୃଷି ଓଡ଼ିଶା ମଞ୍ଚରୁ ଦେଲେ ଉପହାର

ଭୁବନେଶ୍ୱର : କୃଷି ଓଡ଼ିଶା ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା  ।  ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SDRF  ଫଣ୍ଡରୁ  ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୨୬ ହଜାର  ହେକ୍ଟର ଫସଲ କ୍ଷତି, ୨୯୧ କୋଟି ସହାୟତା ମିଳିବ ।

ଆଜିଠୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆରମ୍ଭ ହୋଇଛି “କୃଷି ଓଡିଶା-୨୦୨୫” କାର୍ଯ୍ୟକ୍ରମ । ୩ ଦିନ ଧରି ୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜନ ହୋଇଛି ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚିବ ମନୋଜ କୁମାର ଆହୁଜା, କୃଷି ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

କୃଷି ଓଡ଼ିଶା-୨୦୨୫ର ବିଷୟବସ୍ତୁ ରହିଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ” । ପ୍ରଥମଦିନର ବିଷୟବସ୍ତୁ ରହିବ ଜଳବାୟୁ ଉପଯୋଗୀ ଖାଦ୍ୟ ପଦ୍ଧତି ଓ ଜଳବାୟୁ ତ୍ୱରିତ ଉଦ୍ୟାନକୃଷି । ଦ୍ୱିତୀୟ ଦିବସ ମୃତ୍ତିକା ସ୍ୱାସ୍ଥ୍ୟ, ପ୍ରାକୃତିକ କୃଷି ଓ ଏହାର ମୂଲ୍ୟଶୃଙ୍ଖଳା ଏବଂ ତୃତୀୟ ଦିବସର ବିଷୟ ହେଉଛି ପାଣି ପଞ୍ଚାୟତ ପକ୍ଷ ପାଳନ ସହିତ ଧାରାବାହିକ ଜଳ ଶାସନ ନୀତି ।

ସେହିପରି ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଉର୍ଦ୍ଧ୍ବ ଚାଷୀ ଯୋଗଦେଇଛନ୍ତି । ସାରା ରାଜ୍ୟରୁ ୨୦୦ରୁ ଅଧିକ ଷ୍ଟଲ ପଡ଼ିଛି । ଏହି ମେଳାରେ କୃଷି ଉପକରଣ, ଉନ୍ନତ ପ୍ରଣାଳୀର ଚାଷ ପଦ୍ଧତି, ଉନ୍ନତ ପ୍ରଣାଳୀର ବିହନ ଓ ବିଭିନ୍ନ ପ୍ରକାରର କୃଷି ସମ୍ବନ୍ଧିତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି ।