ଦଶପଲ୍ଲା: ପାହାଡ ତଳେ, ଝାଟି ମାଟି ଛଣ ଛପର ଘର । ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ଡ । ଆଖି କୋରଡ଼କୁ ପଶି ଯାଇଛି । କିଏ ବଣ ପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି । ବିଭିନ୍ନ ସମୟରେ ଅପପୃଷ୍ଟିର ଶିକାର ହେଉଥିବା ଗାଁର ଏମିତି ମାଳମାଳ ପିଲା ଘୁରି ବୁଲୁଛନ୍ତି । ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ ଘେରା କୁଲ୍ହସାହିରେ ନଗଡ଼ାର ଚିତ୍ର । କୋଲ୍ହସାହି କହିଲେ ଦଶପଲ୍ଲା ସମେତ ଏହାରି ଆଖପାଖ ଗାଁର ଲୋକ ବେଶ୍ ଜାଣନ୍ତି । ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ,ସେମାନେ ହେଉଛନ୍ତି ଶବର ବା ଶବର ସମାଜ । ଗାଁର ୪୦ ରୁ ଉର୍ଦ୍ଧ୍ବ ପରିବାର ଦୀର୍ଘବର୍ଷ ହେବ ସ୍ଥାୟୀଭାବେ ବସବାସ କରି ଆସୁଛନ୍ତି । ପ୍ରତି ପରିବାରର ୫ ରୁ ୭ଟି ଛୁଆ ରହିଛନ୍ତି ।
ବିଦ୍ୟାଳୟରେ ନାମ ଲେଖା ହୋଇଛି ସତ,କିନ୍ତୁ ପ୍ରାୟ ପିଲା ବିଦ୍ୟାଳୟ ବାରଣ୍ଡା ମାଡ଼ନ୍ତି ନାହିଁ । ଯେତେବେଳେ ଗାଁ ରେ କେହି ସାର୍ଟପ୍ୟାଣ୍ଟ ପିନ୍ଧା ଲୋକ ପହଞ୍ଚିଯାଆନ୍ତି , ବାବୁ ଆସିଛନ୍ତି କହି କିଏ ଘରକୁ ଦୌଡ଼ି ପଳାଉଛି ତ ପୁଣି କିଏ ବାବୁ ଚକଲେଟ ଦେବେ କହି ଧାଇଁ ଆସିଥାନ୍ତି । ଗାଁରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଅଙ୍ଗନୱାଡ଼ି କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ RBSK ଟିମ୍ ପହଞ୍ଚିଛି । ମାତ୍ର ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ୩,୪ ଟି ପିଲା ଅପପୃଷ୍ଟି ଶିକାର ଥିବା ଚିହ୍ନଟ ହୋଇଛନ୍ତି । କିନ୍ତୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ କେହି ରାଜି ହୁଅନ୍ତିନି। ଗାଁ ର ଅଧିକାଂଶ ଶିଶୁ ଚର୍ମ ରୋଗରେ ଏବେ ଆକ୍ରାନ୍ତ । ବିଦ୍ୟାଳୟରେ ନାମ ଲେଖା ଯାଉଥିଲେ ବି ଏଯାଏଁ କେହି ଦଶମ ଡେଇଁନାହାନ୍ତି ।
ଗାଁ ଲୋକ ଜଙ୍ଗଲରୁ ମହୁଲ,ଲାଖ,ଝୁଣା ଆଦି ଜଙ୍ଗଲଜ୍ରାତ୍ୟ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାନ୍ତି । ବଡ଼କଥା ହେଉଛି ଅନେକ ପରିବାର ଙ୍କୁ ଆବାସ ଯୋଜନାରେ ଘର ମିଳିଛି । ମାତ୍ର ଘର ନିର୍ମାଣ ନହୋଇ ଲକ୍ଷଲକ୍ଷ ଟଙ୍କା ହଡ଼ପ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ବହୁ ପରିବାର ଏବେ ଝାଟିମାଟି ଘେରା ଭଙ୍ଗା କୁଡ଼ିଆରେ ପଡ଼ି ରହିଛନ୍ତି । ଅନେକ ପରିବାରର ଆଧାରକାର୍ଡ ନଥିବାରୁ ରାସନ୍ ପାଇବାରୁ ମଧ୍ୟ ବଞ୍ଚିତ । ଏମିତି ଅନେକ ସମସ୍ୟାରେ ପଡ଼ିରହି ଦହଗଞ୍ଜ ହେଉଛନ୍ତି କୋଲ୍ହସାହିର ବାସିନ୍ଦା । ଦଶପଲ୍ଲା ବ୍ଲକ କୁଲୁରୁକୁଂପା ପଞ୍ଚାୟତର କୋଲ୍ହସାହିର ଏହି ସମସ୍ତ ସମସ୍ୟା କୁ ପରଖିଲେ ଅନୁମାନ କରାଯାଇପାରେ ଏହା କେଉଁ ନଗଡା ଠାରୁ କମ୍ ନୁହେଁ ।
ତେବେ କେନ୍ୟୁଜ୍ ରେ ଖବର ପ୍ରସାରଣ ହେବା ପରେ ପ୍ରଶାସନ ଏହି ଗାଁ ରେ ପହଞ୍ଚି ଗାଁର ଭଲମନ୍ଦ ପଚାରି ବୁଝିଛନ୍ତି । ଗତ ୨ଦିନହେବ ବିଭିନ୍ନ ଖବରକାଗଜ ଓ ଚ୍ୟାନେଲ୍ ରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ର ଶବରସାହି ( କୋହ୍ଲସାହି ) ର ଦୁରାବସ୍ଥା ଓ ସମସ୍ୟା କୁ ନେଇ ଖବର ପ୍ରକାଶନ ହୋଇ ଆସୁଥିବାବେଳେ ପରେ ଆଜି ସେହି ଗ୍ରାମକୁ ପହଞ୍ଚିଛି ପ୍ରଶାସନ । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ ଘଟିକା ସମୟ ରେ ସମନ୍ନିତ ଶିଶୁ ବିକାଶ ବିଭାଗର DSWO ଅର୍ଚ୍ଚନା କହଁର କଂ ସମେତ ଭାରପ୍ରାପ୍ତ CDPO ଦଶପଲ୍ଲା,କୁଲୁରୁକୁମ୍ପା ପଞ୍ଚାୟତର କୋହ୍ଲସାହି ବା ଶବରସାହିରେ ପହଂଚି ସ୍ଥିତି ସମୀକ୍ଷା କରିବା ସହିତ ସରଜମିନ୍ ତଦନ୍ତ କରିଥିଲେ ।
ଖବର ପ୍ରସାରଣ ପରେ ଗ୍ରାମରେ ପ୍ରଶାସନ ପହଞ୍ଚି ଥିବାରୁ ଗ୍ରାମବାସୀ ନିଜର ଖୁସିବ୍ୟକ୍ତ କରିବା ସହିତ ନିଜର ସମସ୍ୟାର ସମାଧାନ ପାଇଁ ଚିନ୍ତିତ ଥିବା ଜଣା ପଡ଼ିଛି।ପିଲାମାନଙ୍କ କିଛି ପରୀକ୍ଷା କରିବା ପରେ DSWO ଅର୍ଚ୍ଚନା କହଁର କହିଛନ୍ତି ଯେ ,ଅତ୍ୟଧିକ ଅପପୃଷ୍ଟି ନୁହେଁ ବରଂ ଅଧିକାଂଶ ପିଲା ସାମାନ୍ୟ ଅପପୃଷ୍ଟିର ଶିକାର ହୋଇଛନ୍ତି ।ଏନେଇ ସେ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ସହିତ ବିହୀତ ପଦକ୍ଷେପ ନେବେ ।