ରାତିଅଧିଆ ଆସି ଟଙ୍କା ବାଣ୍ଟୁଥିଲେ, ହେଲେ ଧରାପଡିବା ପରେ ଲାଜରେ ମୁହଁ ଦେଖାଇଲେନି ମ୍ୟାଡାମ୍‌

ଉଦଳା (କେନ୍ୟୁଜ) : ରାତି ଅଧିଆ ଟଙ୍କା ମାଗୁଥିଲେ, ହେଲେ ଧରାପଡିଗଲେ । ତାପରେ ଆଉ ଲାଜରେ ମୁହଁ ଦେଖାଉନାହାଁନ୍ତି ଏ ମ୍ୟାଡମ୍‌ ଜଣଙ୍କ । ହଁ ଆଜ୍ଞା ଏ ଦୃଶ୍ୟ କିଛି ଏମିତି ହିଁ ବୟାନ୍‌ କରୁଛି । ଏବେର ନିର୍ବାଚନ ମାହୋଲରେ ପ୍ରଚାର ଜୋର ଧରିଥିବାବେଳେ ବିଭିନ୍ନ ରାଜନୈତିକ ଏବଂ ସ୍ୱାଧିନ ଦଳ ପକ୍ଷରୁ ନିର୍ବାଚନରେ ଜନତାଙ୍କ ଭୋଟକୁ ହାତେଇବାକୁ ଅଙ୍କ କଷା ଜୋରସୋରରେ ଚାଲିଛି । ଜୁନ୍‌ ୧ ତାରିଖରେ ଜିଲ୍ଲାରେ ହେବାକୁ ଅଛି ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ନିର୍ବାଚନରେ ଜିତିବାକୁ ହେଲେ ଜନତାଙ୍କର ଆଶୀର୍ବାଦ ନିହାତି ଜରୁରୀ । ଏଥିପାଇଁ ଚାଲିଛି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା । ଉଦଳା ନିର୍ବଚନୀ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଜୋର ଧରିଥିବାବେଳେ ଏବେ ସାମ୍ନାକୁ ଆସିଛି ସମସ୍ତଙ୍କୁ ଚକିତ କରିଦେବା ଭଳି ଚିତ୍ର ।

ଲୋକଙ୍କ ଭୋଟ ହାତେଇବାକୁ ଚାଲିଥିଲା ଟଙ୍କା ବଣ୍ଟା କାର୍ଯ୍ୟକ୍ରମ । ରାତିରେ ଅନ୍ଧାରି ବିଜେ କରିଲେ ଆଉ ଗାଁରେ ପହଞ୍ଚି ଖାମରେ ଭର୍ତ୍ତି କରି ଗାଁରେ ବାଣ୍ଟୁଥିଲେ, ହେଲେ ମାଡି ବସିଲା ପୋଲିସ। ଆଉ ଜବତ ହେଲା ପୂଳା ପୂଳା ଟଙ୍କା। ଭୁବନେଶ୍ୱରରୁ ଆସି ଦାମୀ ଗାଡିରେ ଗାଁ ରେ ପହଞ୍ଚି ଖାମରେ ଟଙ୍କା ଭର୍ତ୍ତି କରି ବାଣ୍ଟୁଥିଲେ ଜଣେ ମହିଳା ଏବଂ ପୁରୁଷ। ଖବର ପାଇ ପୋଲିସ ପହଂଚିବା ପରେ ଦୁଇ ଜଣଙ୍କୁ ଥାନାକୁ ଆଣିବା ସହିତ ଟଙ୍କା ଜବତ କରିଛି।

ଗତକାଲି ରାତିରେ ଉଦଳା ଥାନା ଗୋଧିମରା ଗାଁରେ ଭୁବନେଶ୍ୱରରୁ ଆସି ଟଙ୍କା ବାଣ୍ଟୁଥିଲେ ଜଣେ ମହିଳା ଓ ପୁରୁଷ। ତେବେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଥାନାକୁ ଆଣିବା ସହିତ ଗାଡି ଏବଂ ସେମାନଙ୍କୁ ଯାଞ୍ଚ କରିଥିଲା। ଯାହାକି ମହିଳାଙ୍କ ଭ୍ୟାନୀଟିରେ ବଣ୍ଟାଯିବା ନିମନ୍ତେ ଟଙ୍କା ଭର୍ତ୍ତି ଖାମ ପୋଲିସ ବାହାର କରିଥିଲା, କେବଳ ସେତିକି ନୁହେଁ ଅନ୍ୟ ଦୁଇ ଗୋଟି ବ୍ୟାଗରୁ ମଧ୍ୟ ଟଙ୍କା ଭର୍ତ୍ତି ଖାମ ଜବତ କରିଥିଲା। ପ୍ରତି ଖାମରେ ଦୁଇ ହଜାର ଟଙ୍କା ଲେଖାଏଁ ଭର୍ତ୍ତି ହୋଇଥିବା ସହିତ ଆଉ କିଛି ଟଙ୍କା ବ୍ୟାଗରେ ରହିଥିଲା। ସମୁଦାୟ ୧ ଲକ୍ଷ ୯୧ ହଜାର ଟଙ୍କା ବଣ୍ଟା ହେବା ନିମନ୍ତେ ଆସିଥିବା ବେଳେ ପୋଲିସ ଟଙ୍କା ଜବତ କରିଛି।

ଏହା ସହିତ ଟଙ୍କା ବାଣ୍ଟୁଥିବା ଦୁଇ ଗୋଟି କାରକୁ ପୋଲିସ ଜବତ କରିଛି। ଟଙ୍କା ବାଣ୍ଟୁଥିବା ମହିଳା ଭୁବନେଶ୍ୱରର । ଦେଖନ୍ତୁ ପୋଲିସ ଧରିବା ପରେ କେମିତି ମୁହଁ ଲୁଚାଇ ବସିଛନ୍ତି । ତେବେ ଦୁଇ ଗାଡିର ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି। ହେଲେ କେଉଁ ଦଳର ଟଙ୍କା ତାହାର ତଦନ୍ତ କରୁଛି ପୋଲିସ। ପ୍ରାୟ ୫୦ରୁ ଅଧିକ ଖାମରେ ହୋଇଥିଲା ଟଙ୍କା ଭର୍ତ୍ତି।

You might also like