ଇଏ କି ପ୍ରେମ ! ପାଞ୍ଚ ବର୍ଷର ଛୁଆକୁ ଛାଡ଼ି ସମ୍ପର୍କୀୟ ଦିଅର ସହ ଫେରାର ହେଲା ମା’

ଅନୁଗୁଳ: ସ୍ୱାମୀ- ଛୁଆ ଛାଡ଼ି ପ୍ରେମିକ ସହ ମହିଳା ଚମ୍ପଟ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ସମ୍ପର୍କୀୟ ଦିଅର ସହ କୁଆଡ଼େ ପଳାଇ ଯାଇଛନ୍ତି। ବହୁ ଖୋଜା ଖୋଜି ପରେ କିଛି ପତ୍ତା ନ ପାଇବାରୁ ମହିଳାଙ୍କ ସ୍ୱାମୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

ରିପୋର୍ଟ ମୁତାବକ, ମହିଳା ଜଣକ ୬ ବର୍ଷ ତଳେ କଣିହାଁ ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏକ ୫ ବର୍ଷର ପୁଅ ବି ରହିଛି। ସ୍ୱାମୀଙ୍କ ସହ ବି ତାଙ୍କ ସମ୍ପର୍କ ଭଲ ଥିଲା। ମାତ୍ର କିଛି ଦିନ ହେବ ଜଣେ ଦୂର ସମ୍ପର୍କୀୟ ଦିଅର ସହ ଫୋନରେ ଗପୁ ଗପୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରିବାରର ସମ୍ପର୍କୀୟ ହୋଇଥିବାରୁ କେହି ଏହାକୁ ସନ୍ଦେହ ବି କରି ନଥିଲେ। କିନ୍ତୁ ବୁଧବାର ଦିନ ସୁଯୋଗ ଦେଖି ମହିଳା ଜଣକ ପ୍ରେମିକ ସହ କୁଆଡ଼େ ପଳାଇଛନ୍ତି। ବହୁ ଖୋଜା ଖୋଜି କରିବା ପରେ କିଛି ପତ୍ତା ନ ମିଳିବାରୁ ମହିଳାଙ୍କ ସ୍ୱାମୀ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ୫ ବର୍ଷର ପୁଅକୁ ଛାଡି ମା କୁଆଡ଼େ ଚାଲିଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଏବେ ଉଭୟଙ୍କୁ ଖୋଜୁଥିବା ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.