କେନ୍ଦୁଝର : ସ୍କୁଲରେ ମାଡାମ୍ ଛାତ୍ରୀଙ୍କୁ ଏମିତି କଥା କହିଲେ ଯେ ଘଟଣାର ଭିଡିଓ ଭାଇରାଲ୍ ହୋଇଗଲା, ମାମଲା ଏବେ ଥାନାରେ
କେନ୍ଦୁୁଝର (କେନ୍ୟୁଜ୍) : କଥାରେ ଅଛି ଗୋଟଏ ଶିଶୁ ଜନ୍ମ ନେଲା ପରେ ତାର ପ୍ରଥମ ଗୁରୁ ବାପା ଏବଂ ମାଆ ହିଁ ହୋଇଥାନ୍ତି ଆଉ ଦ୍ବିତୀୟ ଗୁରୁ ଯିଏ ତାକୁ ଦୁନିଆର ପରିଭାଷା ବୁଝାଇଥାଏ । ତେବେ ନିର୍ବୋଧ ଶିଶୁକୁ ଗୋଟିଏ ଭଲ ମଣିଷ କରି ଗଢିବା ଭଳି ଗୁରୁ ଦାୟିତ୍ବ କେବଳ ବାପାମାଆଙ୍କର କର୍ତ୍ତବ୍ୟ ହୋଇନଥାଏ ବରଂ ତାକୁ ଦୁନିଆର ପରିଭାଷା ବୁଝାଉଥିବା ବ୍ୟକ୍ତିଟିର ମଧ୍ୟ ଏହି ଦାୟିତ୍ବ ରହିଛି । ଆଉ ଦୁନିଆର ପରିଭାଷା ବୁଝାଉଥିବା ସେହି ବ୍ୟକ୍ତି ଜଣକ ହେଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଯିଏକି ପିଲାଟିକୁ ଉଚିତ ଶିକ୍ଷା ମାଧୟମରେ ମଣିଷପଣିଆର ପ୍ରକୃତ ସଂଜ୍ଞା କଣ ବୁଝାଇଥାନ୍ତି । ହେଲେ ଯଦି ଜ୍ଞାନ ବାଣ୍ଟୁଥିବା ଏହି ବ୍ୟକ୍ତିଟି ନିଜ ପରିଧି ବାହାରକୁ ଚାଲିଯାଇ ଅସଭ୍ୟ ହୋଇପଡେ, ଆଉ ଭଲ ରାସ୍ତା ବଦଳରେ ଖରାପ ରାସ୍ତାଟିକୁ ହିଁ ବାଛିନିଏ ତେବେ ଥରେ ଭାବନ୍ତୁତ, ଏଭଳି ପରିସ୍ଥିତିରେ ଭଲ ପାଠପଢିବି ଆଉ ଭଲ ମଣିଷ ହେବି ବୋଲି ମନ ଭିତରେ ଆଶା ବାନ୍ଧିଥିବା ସେହି ପିଲାଟିର ଭବିଷ୍ୟତ କଣ ହେବ ।… ଆମେ ଏଠାରେ ଏକଥା ଏଥିପାଇଁ ଆଲୋଚନା କରୁଛି କାରଣ ଏଭଳି ହିଁ ଏକ ନିନ୍ଦନୀୟ ତଥା ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜଣେ ଶିକ୍ଷୟିତ୍ରୀ କିଭଳି ପ୍ରତିଶୋଧ ପରାୟଣ ହୋଇ ନିଜ କର୍ତ୍ତବ୍ୟରୁ ମୁହଁ ଫେରାଇ ନେଇଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇଯାଉଛି ।
କେନ୍ଦୁଝର ମାଇନିଂ ସ୍କୁଲରେ ପାଠପଢୁଥିବା ଅନନ୍ୟା ଦାଶ । ଜଣେ ପ୍ରଥମ ବର୍ଷର ଛାତ୍ରୀ । ନିଜ ଶିକ୍ଷୟତ୍ରୀଙ୍କ ବିରୋଧରେ ଆଣିଛନ୍ତି ମାନସିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଯାହାର କାରଣ ରହିଛି ଅନନ୍ୟାଙ୍କ ସୁନ୍ଦରତା । ତେବେ ଛାତ୍ରୀ ଜଣକ ଗୋରା ହୋଇଥିବାରୁ ତାଙ୍କୁ ନିଜ ସ୍କୁଲର ଶିକ୍ଷୟିତ୍ରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏପରିକି ଶିକ୍ଷୟିତ୍ରୀ ଜଣକ ସ୍କୁଲର କିଛି ଛାତ୍ରଙ୍କୁ ମଧ୍ୟ ତାଙ୍କ ପଛରେ ଲଗାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ପ୍ରତିବାଦ କରିବାକୁ ଛାତ୍ରୀ ଜଣକୁ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ହତ୍ୟା ଧମକ ଦେଇଛନ୍ତି ସଂପୃକ୍ତ ଶିକ୍ଷୟିତ୍ରୀ । ଅଭିଯୋଗ ଅନୁସାରେ ସ୍କୁଲର ବିଜ୍ଞାନ ମାଡାମ କୁନି ମାଝୀ ତାଙ୍କ ପ୍ରତି ଏଭଳି ଆଚରଣ କରିଥିବା ଛାତ୍ରୀ ଜଣକ କହିଛନ୍ତି । ଏପରି ବିଭିନ୍ନ ଆଳ ଦେଖାଇ କୁନି ମାଡାମ୍ ତାଙ୍କୁ ସମସ୍ତ ଆଗରେ ବାରମ୍ବାର ଅପମାନ କରୁଥିବା କହିଛନ୍ତି ।
ଅଭିଯୋଗ ଅନୁସାରେ, ଦିନେ କ୍ଲାସ ଚାଲିଥିବା ବେଳେ କୁନି ମାଡାମ୍ ତାଙ୍କୁ ପାଖକୁ ଡାକି ଅନେକ କଥା କହିବା ସହ ତାଙ୍କ ଚରିତ୍ରକୁ ନେଇ ସର୍ବସମ୍ମୁଖରେ ଆକ୍ଷେପ କରିଥିଲେ । ଏମିତିକି ଯେତେ ଗୋରୀ, ସେତେ ଷ୍ଟୋରୀ’ ଅପମାନଜନକ ଭାଷା ପ୍ରୟୋଗ କରିଥିଲେ । ଏ ସମ୍ପର୍କରେ ଅନନ୍ୟାଙ୍କ ପରିବାର ଲୋକେ ଜାଣିବା ପରେ ତାଙ୍କ ମା ଆସି ସ୍କୁଲରେ ଅଭିଯୋଗ କରିଥିଲେ ଏବଂ ଉଭୟ ମା, ଝିଅଙ୍କ ସହ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାର କେହି ଭିଡିଓ କରିବା ସହ ଭାଇରାଲ କରି ଦେଇଥିଲା ।
ସେପଟେ ସ୍କୁଲ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଅଭିଯୋଗ କରି ଅନନ୍ୟାଙ୍କ ତରଫରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ୍ ବି ଘଟଣାର ତଦନ୍ତ କରୁଛି ବୋଲି କହିଛି । ତେବେ ଘଟଣାର ତଦନ୍ତକୁ ନେଇ ଅନନ୍ୟାଙ୍କ ପରିବାର ସନ୍ତୁଷ୍ଟ ନାହାନ୍ତି । ସେପଟେ ତାଙ୍କର ଭବିଷ୍ୟତ ନେଇ ମଧ୍ୟ ପରିବାର ଲୋକେ ଚିନ୍ତିତ ଅଛନ୍ତି ।