ଭୁବନେଶ୍ୱର : ରାଜଧାନୀରେ ଲେଡି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ । ସ୍ବାମୀ ଦୀପକ ରାଉତ, ଦୁଇ ସହଯୋଗୀ ମାଉସୀପୁଅ ଭାଇ ପପୁ ଭୂୟାଁ ଏବଂ ଶମ୍ଭୁ ମହାନ୍ତଙ୍କୁ ମାରାଥନ ଜେରା । ହତ୍ୟା ପଛର ଖିଅ କାଢିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୋଲିସ ।
ଗତକାଲି ରାତିରେ କେନ୍ଦୁଝରରେ ସିନ ରିର୍କିଏସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି। ଆଜି ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ । ନିଖୋଜର ୧୦ ଦିନ ପରେ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି କମିଶନରେଟ ପୋଲିସ । ପତ୍ନୀ ଶୁଭମିତ୍ରାଙ୍କୁ କାରରେ ବୁଲାଇନେବା ବାହାନାରେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ କନେଷ୍ଟବଳ ଦୀପକ ରାଉତ । ଲାଏ ଡିଟେକ୍ସନ ଟେଷ୍ଟରେ ସତ ମାନିଲା ଅଭିଯୁକ୍ତ ।
ପୋଲିସ ସେବା ଭବନରେ ଆକାଉଣ୍ଟସ ଡିପାର୍ଟମେଣ୍ଟରେ କାର୍ଯ୍ୟରତ ଦୀପକ ଗତବର୍ଷ ଶୁଭମିତ୍ରାଙ୍କୁ କୋର୍ଟ ମ୍ୟାରେଜ କରିଥିଲା । ହେଲେ ବିବାହକୁ ସାର୍ବଜନୀନ କରିନଥିଲା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ବିବାହ ପୂର୍ବରୁ ଶୁଭମିତ୍ରାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା ଦୀପକ । ଯାହାକୁ ସେ ଫେରାଇ ନେବାକୁ ଚାହୁଁଥିଲା ।
ଗତ ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟାରେ ଶୁଭମିତ୍ରାଙ୍କ ଡ୍ୟୁଟି ସରିବା ପରେ ତାଙ୍କୁ କାରରେ ବୁଲାଇ ନେବା ବାହାନାରେ ଅଭିଯୁକ୍ତ ଦୀପକ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ମୃତଦେହକୁ କାରରେ ନେଇ ଘଟଗାଁର ରାଜବନ୍ଧ ପୋଖରୀ ହୁଡ଼ାରେ ପୋତି ଦେଇଥିଲା । ଏଥରେ ଦୀପକକୁ ସହଯୋଗୀ କରିଥିଲେ ପପୁ ଓ ଶମ୍ଭୁ ।
ଆହୁରି ପଢ଼ନ୍ତୁ : କୋଟିଏ ଟଙ୍କା ପାଇଁ ଲେଡି ଟ୍ରାଫିକ କନେଷ୍ଟବଳଙ୍କୁ ମର୍ଡର, ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ