ଝାରସୁଗୁଡା : ଫୋନ ପେ ମାଧ୍ୟମରେ ଯୁବକଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ଏବେ ତଦନ୍ତ କରୁଛି ପୋଲିସ୍

ଝାରସୁଗୁଡା : ଅନଲାଇନ ସାଇବର କ୍ରାଇମର ରିର୍ପୋଟ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଖାସକରି ଯୁବ ପିଢି ଅଧିକ ମାତ୍ରାରେ ଅନଲାଇନ ଲୁଟର ଶିକାର ହେଉଛନ୍ତି । ତେବେ ଝାରସୁଗୁଡା ଜିଲ୍ଲାର ଜଣେ ଯୁବକ ଏମିତି ଏକ ଅନଲାଇନ ଠକେଇର ଫାଶ ରେ ପଡିଛନ୍ତି । ଅଭିଯୋଗ ମୁତାବକ ଝାରସୁଗୁଡା ପୁରୁଣା ବସ୍ତି ଅଞ୍ଚଳର ହେମନ୍ତ ସାହୁଙ୍କ ୨୩ ବର୍ଷିୟ ପୁଅ କାହ୍ନା ସାହୁଙ୍କ ଠାରୁ ୧ ଲକ୍ଷ ୬୧ ହଜାର ୭ ଶହ ୩୦ଟଙ୍କାର ଠକେଇ ହୋଇଛି । ଦୁର୍ବୁତ୍ତମାନେ ଅନଲାଇନ ପେମେଣ୍ଟ ଆପ ଫୋନ ପେ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଲୁଟିନେଇଥିବାର ଅଭିଯୋଗ କରିଛନ୍ତି କାହ୍ନା । ଏନେଇ ଦୁର୍ବୁତ୍ତଙ୍କ ବିରୁଦ୍ଧରେ ଆଜି ଝାରସୁଗୁଡା ଟାଉନ ଥାନାରେ ଏତଲା ଦେଇଛନ୍ତି ।

ସୁଚନାନୁଯାୟୀ , ସେପ୍ଟେମ୍ବର ୩ ତାରିଖ ଅପରାହ୍ନ ୩ଟାରେ କାହ୍ନାଙ୍କ ଫୋନକୁ ଏକ ମେସେଜ ଆସିଥିଲା । ସେହି ମେସେଜକୁ କ୍ଲିକ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୪ ହଜାର ୭ଶହ ୩୦ଟଙ୍କାର ଉଠାଣ ହୋଇଥିଲା । ଏହାପରେ ସେ ତୁରନ୍ତ ଫୋନ ପେ କଷ୍ଟମର କେୟାର ନମ୍ବରକୁ ଫୋନ କରିଥିଲେ ଏବଂ ସେମାନେ ତାଙ୍କୁ ଟିମ୍‌ ଭ୍ଯୁୟର କୁଇକି ଆପ ଡାଉନଲଡ କରିବାକୁ କହିଥିଲେ ।

ଆପ୍ଲିକେସନ ଡାଉନଲଡ କରିବା ପରେ ଆଖି ପିଚୁଳାକେ ପୁଣିଥରେ କାହ୍ନାଙ୍କ ଆକାଉଣ୍ଟରୁ ୨ ଥରରେ ୫୦ ହଜାର ଟଙ୍କା, ଥରେ ୪୦ ହଜାର , ଥରେ ୧୦ହଜାର ଓ ଥରେ ୭ ହଜାର ଟଙ୍କାର ରାଶି ଉଠାଣ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି । ଲକ୍ଷାଧିକ ଟଙ୍କାର ଲୁଟର ଶିକାର ହେବା ପରେ କାହ୍ନା ଝାରସୁଗୁଡା ଟାଉନ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଏନେଇ ଝାରସୁଗୁଡା ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.