ଅଧାପନ୍ତରିଆ ମୁକ୍ତା ଯୋଜନା, ପାଣିରେ ପଡିଲା କୋଟି କୋଟି ଟଙ୍କା

ପାଣିରେ ପଡ଼ିଲା ମୁକ୍ତା ଯୋଜନାର କୋଟି କୋଟି ଟଙ୍କା । ସରକାର ବଦଳିବା ପରେ ଯୋଜନା ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ତେଣୁ ଅଧାପନ୍ତରିଆ ପ୍ରକଳ୍ପ ସଂପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ପାରଳାଖେମୁଣ୍ଡି ପୌରପରିଷଦ ଅଧିନରେ ୬୨ଟି ପ୍ରକଳ୍ପରେ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅଧିକାଂଶ ପ୍ରକଳ୍ପ କେବଳ କାଗଜ କଲମରେ ହିଁ ହୋଇଛି । ତେଣୁ ଏହାର ତଦନ୍ତ କରାଯିବା ସହ ଅଧପନ୍ତରିଆ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

ସ୍ବୟଂ ସହାୟିକା ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନବୀନ ସରକାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନା । ହେଲେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀଙ୍କ ମନମୁଖୀ ଓ ଲକ୍ଷ୍ୟ ବିହୀନ କାର୍ଯ୍ୟ ଯୋଗୁଁ କୋଟି କୋଟି ଟଙ୍କା ନଷ୍ଟ ହେବା ସହ ପ୍ରକଳ୍ପ ଗୁଡିକ ଅଧପନ୍ତରିଆ ହୋଇ ପଡିରହିଛି । ଯାହା ଲୋକଙ୍କ କାମରେ ଆସୁନା                           ହିଁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳରେ । ଗତ ୨୦୨୩-୨୪ଆର୍ଥିକ ବର୍ଷରେ ପ୍ରାୟ ୬୨ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ଯେଉଁଥିପାଇଁ ପ୍ରାୟ ୩କୋଟି ଟଙ୍କା ବ୍ୟବରାଦ ମଧ୍ୟ ହୋଇଥିଲା । ସେହି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ସଂପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲେ । ଆଉ କେତେକ ଆଜି ବି ଅସଂପୂର୍ଣ୍ଣ, ଆଉ କିଛି ପ୍ରକଳ୍ପ କେଉଁଠି ହୋଇଛି ତାହାବି ଜଣାପଡୁନାହିଁ । ରଜାନହର ପଛପଟେ ୫ନମ୍ବର ୱାର୍ଡରେ ହୋଇଥିବା ଶିଶୁ ଉଦ୍ୟାନ ଷ୍ଟାଡିୟମ ନିକଟରେ ହୋଇଥିବା ସ୍କେଟିଂ ଟ୍ରାକ ଆଦିକୁ ଉଦାହରଣ ଭାବେ ନିଆଯାଇପାରେ । ଏସବୁ ଅଧପନ୍ତରିଆ ହୋଇ ପଡି ରହିଥିବା ବେଳେ ସଂପୂର୍ଣ୍ଣ ବୋଲି ଦର୍ଶାଇଛି । କେବଳ ଏହି ଦୁଇ ପ୍ରକଳ୍ପ ନୁହେଁ,ଏଭଳି ଅନେକ ପ୍ରକଳ୍ପର ସ୍ଥିତି ମଧ୍ୟ ସମାନ । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ତୁରନ୍ତ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାଉନ୍ସିଲର ଏବଂ ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।

ଏପଟେ ଗତ ସରକାର ସମୟରେ ହୋଇଥିବା କାମର କୌଣସି ସୂଚନା ଆଉ ସଠିକ ଭାବେ ମିଳିପାରୁନାହିଁ । ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡିଛନ୍ତି । ଏନେଇ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ଅଧପନ୍ତରିଆ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

ଗୋଟିଏ ବର୍ଷରେ ୩କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଏହାର ଲାଭ ନମିଳିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟର କଥା । ତେଣୁ ଏହା ଉପରେ କେବେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ।