ବିଳମ୍ବିତ ରାତିରେ ଦାଦାଗିରି । ରାତି ଅଧରେ ବ୍ୟକ୍ତିଙ୍କୁ କଲେ ମରଣାନ୍ତକ ଆକ୍ରମଣ । ବ୍ୟକ୍ତିଙ୍କୁ ମାଡ଼ ମାରି ଦେହ ସାରା ନୋଳା ବସେଇ ଦେଇଛନ୍ତି ଦୁର୍ବୃତ୍ତ। ତେବେ ଆକ୍ରମଣର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ଟଙ୍କା ଓ ସୁନା ଲୋଭରେ ବ୍ୟକ୍ତିଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ । ଉକ୍ତ ବ୍ୟକ୍ତିଙ୍କ ନା ହେଉଛି ଘନଶ୍ଯାମ କାମିଳା । ଘନଶ୍ଯାମଙ୍କର ଏକ ସୁନା ଦୋକାନ ଅଛି । ତେବେ ସବୁଦିନ ଭଳି ଘନଶ୍ଯାମ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । କିନ୍ତୁ ସେ କେବେ ବି ଭାବି ନଥିଲେ ଦୋକାନ ଆଗରେ ଥିବା ନିଛାଟିଆ ରାସ୍ତାରେ ତାଙ୍କୁ କିଏ ଜଗି ବସିଛି । ନିଛାଟିଆ ରାସ୍ତାରେ ଘନଶ୍ୟାମଙ୍କୁ ଅପେକ୍ଷା କରି ରହିଥିବା ଦୁର୍ବୃତ୍ତମାନେ ଟଙ୍କା ଲୋଭରେ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଗହଣା । ତେବେ ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଅଭାବନୀୟ ଘଟଣା ।
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଏଭଳି ଲୁଟ । ବନ୍ଧୁକ ମୁନ ଦେଖାଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ ଜଳେଶ୍ବର ଥାନା ନାମ୍ପୋ ଫାଣ୍ତି ଅନ୍ତର୍ଗତ ସମ୍ପତିଆ ଗାଁର ଘନଶ୍ଯାମ କାମିଳାଙ୍କ ତେମ୍ବୁରିଆ ମାର୍କେଟରେ ମିନତୀ ଜୁଏଲାର୍ସ ନାମରେ ଏକ ଗହଣା ଦୋକାନ ରହିଛି । ସବୁଦିନ ଭଳି ସେ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବାବେଳେ ନିଛାଟିଆ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଗାଡି ଅଟକାଇବା ସହ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଛଡାଇ ନେଲେ । ପରେ ଏକ କଳା ରଙ୍ଗର ବାଇକରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଖବର ପାଇ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ସନ୍ଦେହରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।
ତେବେ ଏଭଳି ଘଟଣା ପରେ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ପୋଲିସ ହାତ ଖାଲି । ଯଦି ପୋଲିସ ପାଟ୍ରୋଲିଂ ଠିକ ଭାବେ ହୁଅନ୍ତା ହୁଏତ ଏଭଳି ଲୁଟ ହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।