କଟକ ହନିଟ୍ରାପରେ ତିନି ଗିରଫ, ସହଯୋଗ କରିଥିବା ଯୁବତୀ ଫେରାର; ପ୍ରେସମିଟ୍‌ରେ ସୂଚନା ଦେଲା ଲାଲବାଗ ପୋଲିସ

କଟକ (କେନ୍ୟୁଜ): କଟକରେ ହନିଟ୍ରାପ୍‌ ଶିକାର ହେଲେ ଜଣେ ଯୁବ ଇଞ୍ଜିନୟର । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ହନିଟ୍ରାପରେ ସହଯୋଗ କରିଥିବା ଯୁବତୀ ଫେରାର ଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ କଟକର ଏକ ପ୍ରତିଷ୍ଠିତ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଅନ୍ୟ ୨ ଅଭିଯୁକ୍ତ ହେଲେ ରୋହନ ନାୟକ ଓ ଅଫଜଲ୍‌ ଅଲ୍ଲୀ । ସେମାନଙ୍କଠାରୁ ୨୫ ହଜାର ଟଙ୍କା, ଏଟିଏମ୍‌ ଓ ୩ଟି ମୋବାଇଲ୍‌ ଜବତ ହୋଇଛି । ଅଭିଯୋଗ ଅନୁଯାୟୀ, ଇଞ୍ଜିନିୟରଙ୍କୁ କନିକା ଛକର ଏକ ଭଡାଘରକୁ ନିଆଯାଇଥିଲା ।

ସେଠାରେ ପୂର୍ବରୁ ଜଣେ ଯୁବତୀ ଅପେକ୍ଷା କରିଥିଲେ । ଘର ଭିତରେ ଯୁବତୀଙ୍କ ସହ ଇଞ୍ଜିନିୟରଙ୍କ ଫଟୋ ଉଠାଇ ବ୍ଲାକମେଲ୍‌ କରିବା ସହ ଏଟିଏମ୍‌ ଛଡାଇ ନେଇଥିଲେ । ଏପରିକି ଏଟିଏମରୁ ୨୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି ଇଞ୍ଜିନିୟର । ପରେ ୧ଲକ୍ଷ ଟଙ୍କା ମାଗିବାରୁ ଇଞ୍ଜିନିୟର ଜଣକ ଥାନାରେ ଏତଲା ଦେଇଥିଲେ । ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପ୍ରେସମିଟ୍‌ରେ ସୂଚନା ଦେଇଛି ଲାଲବାଗ ପୋଲିସ।