ଦେଶ ପ୍ରେମ ଓ କର୍ତ୍ତବ୍ୟବୋଧର ଉଦାହରଣ ଲାଲୁ ସାର, ଜୀବନକୁ ବାଜି ଲଗାଇ ନଦୀ ପାରି ହୋଇ କଲେ ପତାକା ଉତ୍ତୋଳନ

ଆଜି ସାରା ଦେଶ ଉତ୍ସବ ମୁଖର ୭୩ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ନେଇ । ହେଲେ କିଛି ବନ୍ୟା ପ୍ରଭାବିତ ଅଞ୍ଚଳରେ ଉତ୍ସାହରେ ଟିକେ ଭଟ୍ଟା ପଡ଼ିଛି । ଜଳବନ୍ଦୀ ଥିବା ଅଞ୍ଚଳରେ ସ୍କୁଲ ଛୁଟି କରି ଦିଆଯାଇଛି । ଯାହାଫଳରେ ସେଠାରେ ପାଳନ କରାଯାଇ ନାହିଁ ସ୍ୱାଧୀନତା ଦିବସ । ହେଲେ ଏଭଳି ସ୍ଥିତିରେ ଉଦାହରଣ ସାଜିଛନ୍ତି ଜଣେ ଶିକ୍ଷକ । ବଢ଼ି ନଈକୁ ଖାତିର ନକରି ନଦୀ ଭିତରେ ପଶି ଆରପାରିରେ ଥିବା ସ୍କୁଲକୁ ଯାଇଥିଲେ କେବଳ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ । ସ୍କୁଲ ପିଲାଙ୍କୁ ଦେଶ ସ୍ୱାଧୀନତାର ମହତ୍ୱ ଓ ଗୌରବ ବିଷୟରେ ଜଣାଇବାକୁ ।

LALU SIR-3କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ୍‌ ଗୁଞ୍ଜିବାଡ଼ି ପଞ୍ଚାୟତରେ ରହିଛି ବଗାଡ଼ି ପ୍ରାଥମିକ ବିଦ୍ୟାଳୟ । ବଗାଡ଼ି ନଦୀ ପାରି ହେଲେ ସେହି ଗାଁରେ ପହଞ୍ଚି ହେବ । ଲଗାଣ ବର୍ଷା ଯୋଗୁଁ ନଦୀରେ ଏବେ ପ୍ରଖର ସ୍ରୋତ । ପାହାଡ଼ିଆ ନଦୀ ହୋଇଥିବାରୁ ତା ଭିତରେ ପଶିବାକୁ କେହି ସାହସ କରିବେ ନାହିଁ । ହେଲେ ନଦୀ ଏପଟେ ରହୁଥିବା ଶିକ୍ଷକ ଲାଲୁ କୁମାର ମଲ୍ଲିକଙ୍କ ମନରେ ଥିଲା କିଛି ଭିନ୍ନ ଯୋଜନା । ଦେଶପ୍ରୀତି ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ପିଲାଙ୍କୁ ବାର୍ତ୍ତା ଦେବା ଲକ୍ଷ୍ୟ ଥିଲା ତାଙ୍କର । ତେଣୁ ନିଜର କର୍ତ୍ତବ୍ୟକୁ ଆଗରେ ରଖି ଜୀବନକୁ ବାଜି ଲଗାଇ ପଶିଲେ ପ୍ରଖର ସ୍ରୋତ ଥିବା ବଗାଡ଼ି ନଦୀ ଭିତରେ ।

LALU SIR-4

କାରଣ ଆରପାର୍ଶ୍ୱକୁ ଯିବା ଲାଗି ନଦୀ ଉପରେ ପୋଲ ନାହିଁ । ଲାଲୁ ସାର୍‌ ଆଉ କିଛି ଚିନ୍ତା ନକରି ଗାମୁଛା ପିନ୍ଧିଲେ ଏବଂ ନଦୀ ଆରପଟକୁ ଲାଗିଥିବା ଦଉଡ଼ି ଖଣ୍ଡିକୁ ଧରି ଅତି ବିପଜ୍ଜନକ ଭାବେ ପାରି ହେଲେ । ବେକ ଯାଏ ପାଣି ହେଲା । ତଥାପି ଡରି ନଥିଲେ ସେ । ଦଉଡ଼ି ଧରି ଧରି ଆରପାରିରେ ପହଞ୍ଚିବା ପରେ ପୋଷାକ ବଦଳାଇ ସ୍କୁଲକୁ ଯାଇଥିଲେ । ଆଉ ସେଠାରେ ପତାକା ଉତ୍ତୋଳନ କରିଥିଲେ ।
ସ୍କୁଲର କୁନି କୁନି ପିଲା ଏବଂ ଅନ୍ୟ ଶିକ୍ଷକମାନଙ୍କ ସହ ଏଥିରେ ସାମିଲ ହୋଇଥିଲେ ସ୍ଥାନୀୟ ଗ୍ରାମବାସୀ । ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ ଏବଂ ମହାପୁରୁଷଙ୍କ ଜୀବନୀ ସମ୍ପର୍କରେ ପିଲାମାନଙ୍କୁ କହିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । ହେଲେ ଏସବୁ ବାଦ୍‌ ସମସ୍ତଙ୍କ ମୁହଁରେ ଥିଲା ଲାଲୁ ସାର୍‌ଙ୍କ ପ୍ରଶଂସା ।

କନ୍ଧମାଳ ବଗାଡ଼ି ଗାଁରୁ ଗୋପୀନାଥ ମିଶ୍ରଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

Leave A Reply

Your email address will not be published.