ମାଡ଼ି ବସିଛନ୍ତି ମନ୍ଦିର ଜମି, ଦଲାଲ ଯୋଗାଇ ଦେଉଛନ୍ତି ଗରାଖ

ସାଲେପୁର : ମନ୍ଦିର ଜମିକୁ ହଡପ୍ । ଏ ପାପୀ ମଣିଷଙ୍କୁ ଆଉ କଣ କୁହାଯିବ । କିଛି ବି କରିପାରିବେ ଲୋଭ ଆଉ ଟଙ୍କା ପାଇଁ । ମନ୍ଦିର ଜମିକୁ ନିଜ ନାଁରେ କରି ଏବେ ଜମି ବିକ୍ରି ଚାଲିଲି । ଆଉ ଗରାଖ ଯୋଗାଇ ଦେଉଛନ୍ତି ଦଲାଲ । ଏମିତି କେମିତି କରିପାରୁଛନ୍ତି ଲୋକ । କଣ ଏମିତି କରିବାକୁ ମନରେ ଭୟ ଆସିଲାନି । ହାତ କମ୍ପି ଉଠିଲାନି ମନ୍ଦିର ଜମିକୁ ନିଜ ନାଁରେ କଲାବେଳେ ।
ହଁ ଆଜ୍ଞା ମଠଜମିକୁ ଜାଲିଆତିକରି ନିଜ ନାମକୁ ନେବା ସହ ବିକ୍ରି କରିବା ଘଟଣାର ତଦନ୍ତ ଦାବି କଲେ ମଠ ପରିଚାଳନା ଟ୍ରଷ୍ଟ ଓ ଗ୍ରାମବାସୀ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ଦାବି ନେଇ କଟକ ଜିଲ୍ଲା ସାଲେପୁର ତହସିଲ ଚମ୍ପତି ପଂଚାୟତ ମଠ ସାହି ଗାଁର ମଦନମୋହନ ମନ୍ଦିର ପରିସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ କରାଯାଇଛି ଏକ ପ୍ରେସମିଟ । ପ୍ରେସମିଟ୍ ଏଥିପାଇଁ କାରଣ ବହୁ ପୁରାତନ ମନ୍ଦିର ମଦନମୋହନଙ୍କ ୯ ଏକର ସମ୍ପତ୍ତିକୁ ମଠର ମହନ୍ତ ବ୍ରହ୍ମଚାରୀ ହରିନାରାୟଣ ଦାସ ମାର୍ପତଦାରରେ ମନ୍ଦିର ପରିଚାଳନା ହେଉଥିଲା।
୨୦୧୧ ମସିହାରେ ମହନ୍ତଙ୍କ ଦେହାନ୍ତ ପରେ ମନ୍ଦିର ର ପୂଜାର୍ଚ୍ଚନା ରକ୍ଷଣାବେକ୍ଷଣ ପାଇଁ ଗ୍ରାମବାସୀ, ବ୍ରାହ୍ମଣ ଓ ଡାକ୍ତର ପ୍ରଦୀପ ମହାନ୍ତିଙ୍କ ତତ୍ତ୍ୱାବିଧାନରେ ଏକ ଟ୍ରଷ୍ଟ ୨୦୧୨ ମସିହାରେ ମଦନମୋହନ ଟ୍ରଷ୍ଟ REG,No ୧୬୪୨/୧୧୨୮C(M) ଗଠନ କରାଯାଇ ଦେଵୋତର ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ଦେଵୋତର ମଦନମୋହନ ଠାକୁର ଏବଂ ସମ୍ପତିକୁ ନିଜ ଅଧୀନକୁ ନେଇଥିଲା। ମଠର ମହନ୍ତ ବ୍ରହ୍ମଚାରୀ ହରି ନାରାୟଣ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ଅଞ୍ଚଳର ରାମ ଅଭିଷେକ ଦାସ ନାମକ ଜଣେ ବ୍ୟକ୍ତି ନିଜକୁ ମୃତ ମହନ୍ତ ବ୍ରହ୍ମଚାରୀ ହରିନାରାୟଣ ଦାସଙ୍କ ଶିଷ୍ୟ ଦର୍ଶାଇ ମଠର ସମସ୍ତ ସମ୍ପତ୍ତିକୁ ନିଜ ନାମରେ ଚଞ୍ଚକତା କରି ନେବା ସହ ସ୍ତାନୀୟ ଜମିମାଫିଆଙ୍କ ସହଯୋଗରେ ଜମି ବିକ୍ରି କରୁଛନ୍ତି ।
ଏହାକୁ ନେଇ ମନ୍ଦିର ପରିଚାଳନା ଟ୍ରଷ୍ଟି ଡାକ୍ତର ପ୍ରଦୀପକୁମାର ମହାନ୍ତି, ଶିବ ନାରାୟଣ ନାୟକ, ରବୀନ୍ଦ୍ରନାଥ ମହାନ୍ତି, ପ୍ରଶାନ୍ତ କୁମାର କର, ଜୟନ୍ତ କୁମାର ମହାନ୍ତି ପ୍ରମ୍ମୁଖ ଉପସ୍ଥିତ ରହି ପ୍ରେସ ମିଟରେ ବେଆଇନଭାବେ ଜମି ଜାଲିଆତି ଓ ହଡପର ଖୁଲାସା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଆରଡିସି, ଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନ, କଟକ ଡିସିପି, ଜଗତପୁର ଥାନାରେ ଅଭିଯୋଗ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କରିଛନ୍ତି ।